ଓଡ଼ିଶାରେ ଲାଗିବ ୩ ଡପଲର ୱେଦର ରାଡାର
ଟ୍ୱିନ ସିଟିରେ ସୃଷ୍ଟି ହେଉଥିବା କୃତ୍ରିମ ବନ୍ୟା ଓ ବାୟୁର ଗୁଣବତ୍ତା ସମ୍ପର୍କରେ ତଥ୍ୟ ଦେବ ରାଡାର।
୨୦୨୬ ସୁଦ୍ଧା ସାରା ଦେଶରେ ଲାଗିବ ୧୨୬ ରାଡାର
ଭୁବନେଶ୍ୱର, ୨୩/୧୨: ରାଜ୍ୟରେ ସ୍ଥାପନ ହେବ ୩ ଡପଲର ୱେଦର ରାଡାର। ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ବରରେ ୩ଟି ନୂଆ ଡପଲର ରାଡାର ସ୍ଥାପନ ହେବ। ବିଶେଷ କରି ଟ୍ୱିନ ସିଟିରେ ସୃଷ୍ଟି ହେଉଥିବା ସହରୀ ବନ୍ୟା ବା କୃତ୍ରିମ ବନ୍ୟା ଓ ବାୟୁର ଗୁଣବତ୍ତା ସମ୍ପର୍କରେ ତଥ୍ୟ ଦେବା ପାଇଁ ଭୁବନେଶ୍ୱରରେ ସ୍ୱତନ୍ତ୍ର ରାଡାର ଲାଗିବ।
୨୦୨୬ ସୁଦ୍ଧା ସମଗ୍ର ଭାରତରେ ମୋଟ ୧୨୬ଟି ଡପଲର ରାଡାର ସ୍ଥାପନ କରାଯିବ। ବର୍ତ୍ତମାନ ଭାରତରେ ୭୩ଟି ରାଡାର କାର୍ଯ୍ୟକ୍ଷମ ଥିବା ବେଳେ ଖୁବଶୀଘ୍ର ୫୩ଟି ନୂଆ ରାଡାର ଲଗାଯିବ। ସେଥିମଧ୍ୟରୁ ଓଡ଼ିଶାର ଭୁବନେଶ୍ୱର, ବାଲେଶ୍ୱର ଓ ସମ୍ବଲପୁରରେ ୩ଟି ରାଡାର ସ୍ଥାପନ କରାଯିବ ବୋଲି ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ପାଣିପାଗ ସମ୍ପର୍କିତ ପୁର୍ବାନୁମାନ କରାଯାଇ ଆହୁରି ଉନ୍ନତ ରୂପେ ତଥ୍ୟ ଦେବା ପାଇଁ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଏହି ନିଷ୍ପତି ନେଇଛି।
ସୂଚନାଯୋଗ୍ୟ, କୌଣସି ଅଞ୍ଚଳରେ ଆଗାମୀ ତିନି ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବା ନେଇ ସୂଚନା ଦେବା ପାଇଁ ଡପଲର ୱେଦର ରାଡାର ଲଗାଯାଏ।