ନୂଆଦିଲ୍ଲୀ, ୨୩/୧୨: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ ଓ ହାଇଦ୍ରାବାଦର ବିଶିଷ୍ଟ ଉଦ୍ୟୋଗୀ ଭେଙ୍କଟ ଦତ୍ତ ସାଇ। ଡିସେମ୍ବର ୨୨ ତାରିଖ ସକାଳେ ଉଦୟପୁରରେ ଆୟୋଜିତ ପାରମ୍ପରିକ ଉତ୍ସବରେ ଭେଙ୍କଟ ଦତ୍ତ ସାଇଙ୍କୁ ବିବାହ କରିଛନ୍ତି ପିଭି ସିନ୍ଧୁ। ଏହି ବିବାହ ଉତ୍ସବରେ ସିନ୍ଧୁ ଓ ସାଇଙ୍କ ପରିବାର ବର୍ଗଙ୍କ ସହ ଘନିଷ୍ଠ ବନ୍ଧୁବାନ୍ଧବଙ୍କ ଗହଣରେ ବିବାହ ଉତ୍ସବ ଅତି ଆଡମ୍ବର ସହକାରେ ସମ୍ପନ୍ନ ହୋଇଛି।
ଦୁହେଁ ଏପର୍ଯ୍ୟନ୍ତ ଅଫିସିଆଲ୍ ଫଟୋ ସେୟାର କରିନଥିବା ବେଳେ ସୋସିଆଲ ମିଡିଆରେ ଏହି ଇଭେଣ୍ଟର ଅନେକ ଝଲକ ସାମ୍ନାକୁ ଆସିଛି। ଯାହାକୁ ଦେଖି ଉଭୟଙ୍କୁ ଶୁଭେଚ୍ଛୁ ଓ ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି।
କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏହି ବିବାହ ବେଳର ଏକ ଫଟୋ ଏକ୍ସରେ ସେୟାର କରି ନବଦମ୍ପତିଙ୍କୁ ଆଶୀର୍ବାଦ ଜଣାଇଛନ୍ତି। ଗତକାଲି ସନ୍ଧ୍ୟାରେ ଉଦୟପୁରରେ ଭେଙ୍କଟ ଦତ୍ତ ସାଇଙ୍କ ସହ ଆମର ବ୍ୟାଡମିଣ୍ଟନ ଚାମ୍ପିୟନ ଅଲିମ୍ପିଆନ୍ ପିଭି ସିନ୍ଧୁଙ୍କ ବିବାହ ଉତ୍ସବରେ ଯୋଗ ଦେଇ ଖୁସି ଅନୁଭବ କରୁଛି ଏବଂ ଏହି ଦମ୍ପତିଙ୍କୁ ସେମାନଙ୍କର ଆଗାମୀ ଜୀବନ ପାଇଁ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଛି ବୋଲି ଗଜେନ୍ଦ୍ର ସିଂହ ତାଙ୍କ ପୋଷ୍ଟରେ ଲେଖିଛନ୍ତି। ସିନ୍ଧୁ ଏବଂ ଦତ୍ତ ସାଇ ଡିସେମ୍ବର ୨୪ରେ ହାଇଦ୍ରାବାଦରେ ଏକ ରିସେପ୍ସନ ଆୟୋଜନ କରାଯିବ।