ଭୁବନେଶ୍ୱର ଆଇଏମଏମଟିରେ ୧୪ତମ ରୋଜଗାର ମେଳା
ସାରା ଦେଶରେ ୭୧ ହଜାର ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
୪୦୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଭୁବନେଶ୍ୱର, ୨୩/୧୨: ଆଜି ଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି ୧୪ତମ ରୋଜଗାର ମେଳା। ସାରା ଦେଶରେ ୭୧ ହଜାର ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ରୋଜଗାର ମେଳା ସିଆରପିଏଫ ଭୁବନେଶ୍ୱର ତତ୍ତ୍ୱାବଧାନରେ ଭୁବନେଶ୍ୱରସ୍ଥିତ ସିଏସ୍ଆଇଆର୍-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ନୋଲୋଜିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡରେ ଯୋଗ ଦେଇ ଓଡ଼ିଶାରୁ ଚୟନ ହୋଇଥିବା ୪୦୧ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।
ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବା ସହ ଅଭିନନ୍ଦନ ଜଣାଇଥିଲେ ଏବଂ ଦେଶ ନିର୍ମାଣରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସିଆରପିଏଫ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଆଇଆଇଟି ଭୁବନେଶ୍ୱରର ଏସଆରଆଇସିର ଡିନ୍ ପ୍ରଫେସର ଦିନାକର ପାସ୍ଲା, ଏସଏଲବିସି ଓଡ଼ିଶାର ମହାପ୍ରବନ୍ଧକ ତଥା ଆବାହକ ଗୌତମ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ସୂଚନାନୁସାରେ, ଏହି ନବ ନିଯୁକ୍ତ ମାନେ କେନ୍ଦ୍ର ସରକାରଙ୍କ ସୌରାଷ୍ଟ୍ର ମନ୍ତ୍ରଣାଳୟ, ଡାକ ବିଭାଗ, ଉଚ୍ଚ ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଓ ଅର୍ଥ ବିଭାଗ ସହ ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟ କରିବାର ସୁଯୋଗ ପାଇବେ।