ଲୋକଲୋଚନରେ ରହିବା ପାଇଁ ବିଜେଡି ବ୍ୟର୍ଥ ପ୍ରୟାସ ଜାରି ରଖିଛି: ବଳଭଦ୍ର ମାଝୀ

ବିନା ତଥ୍ୟ ଆଧାରରେ ଅଭିଯୋଗ କରିବା ବିଜେଡିର ଚିରାଚରିତ ଅଭ୍ୟାସ। ନିର୍ବାଚନ ସରିବାର ୬ ମାସ ପରେ ବିଜେଡି ଆଜି ଅଭିଯୋଗ କରିବା କେବଳ ମାତ୍ର ପ୍ରଳାପ ସଦୃଶ।

ଇସିଆଇଙ୍କ ନିକଟରେ ବିଜେଡ଼ିର ଫେରାଦକୁ ବିଜେପିର ସମାଲୋଚନା

ଭୁବନେଶ୍ୱର, ୨୩/୧୨: ଭୋଟ ପରିଚାଳନା ଗୋଟିଏ ନୀତି ନିୟମ ଅନୁସାରେ ହୁଏ । ଏହାର ବିସ୍ତୃତ ବିବରଣୀ ପୁସ୍ତିକା ଅନୁସାରେ ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଜାରି କରିଥାନ୍ତି । ବିଜେଡି ସମେତ ଅନ୍ୟାନ୍ୟ ରାଜନୈତିକ ଦଳଗୁଡିକ ମଧ୍ୟ ଏହି ପୁସ୍ତିକା ପାଇଛନ୍ତି । ଏହି ନିୟମ ବାହାରେ ଯଦି କିଛି ନିର୍ବାଚନ ପରିଚାଳନା ହୋଇଥାଏ ତାହାହେଲେ ଅନିୟମିତତା ହୋଇଛି ବୋଲି ଅଭିଯୋଗ ଆଣିପାରିବେ । ବିନା ତଥ୍ୟ ଆଧାରରେ ଅଭିଯୋଗ କରିବା ବିଜେଡିର ଚିରାଚରିତ ଅଭ୍ୟାସ ଏବଂ ଆଜି ମଧ୍ୟ ସେହିଭଳି ଅଭିଯୋଗ କରିଛି । ଏଭଳି ଅଭିଯୋଗ ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ସାଂସଦ ଶ୍ରୀ ବଳଭଦ୍ର ମାଝୀ କହିଛନ୍ତି ।

ଗତ ସାଧାରଣ ନିର୍ବାଚନରେ କୈାଣସି ଅନିୟମିତତା ହେବାର ସ୍ପଷ୍ଟ ପ୍ରମାଣ ବିଜେଡି ପାଖରେ ନାହିଁ । ଭୋଟ ଦେବା ସମୟ ସଂଧ୍ୟା ୬ଘଟିକା ଯାଏ ଥିଲା ଏବଂ ସମ୍ବେଦନଶୀଳ ବୁଥମାନଙ୍କରେ ୫ଘଟିକା ପର୍ଯ୍ୟନ୍ତ ଥିଲା । ଏହି ସମୟସୀମା ବାହାରେ କୌଣସି ବୁଥରେ ଭୋଟ ହୋଇନାହିଁ, ଯାହାର ସାକ୍ଷୀ ଭାବେ ବିଜେଡିର ଏଜେଂଟମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି ସାଂସଦ ଶ୍ରୀ ମାଝୀ କହିଛନ୍ତି ।

ନିର୍ବାଚନ ସରିବାର ୬ମାସ ପରେ ବିଜେଡି ଆଜି ଅଭିଯୋଗ କରିବା କେବଳ ମାତ୍ର ପ୍ରଳାପ ସଦୃଶ । ନିର୍ବାଚନରେ ହାରିଯିବା ଏବଂ କ୍ଷମତାରୁ ହଟିଯିବା ଦୁଃଖକୁ ବିଜେଡି ଦଳ ସହ୍ୟ କରିପାରୁନାହାନ୍ତି । କେବଳ ଲୋକଲୋଚନରେ ରହିବା ପାଇଁ ତାଙ୍କର ବ୍ୟର୍ଥ ପ୍ରୟାସ ଜାରୀ ରଖିଛନ୍ତି । ଅନ୍ୟର ସମୟ ଅଯଥାରେ ନଷ୍ଟ ନକରି ବିଜେଡି ନେତୃବୃନ୍ଦ ନିଜ ହାରିବାର ଆତ୍ମସମୀକ୍ଷା କରିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ମାଝୀ କହିଛନ୍ତି ।