ନୂଆ ବଜାର-ପ୍ରେସ୍ ଛକ ନୂଆ ରେଳ ଓଭର ବ୍ରିଜ ଉଦ୍ଘାଟନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
କଟକ ସହର ସମେତ ଜଗତସିଂହପୁର ଜିଲ୍ଲାବାସୀଙ୍କ ଦୂରହେବ ଟ୍ରାଫିକ୍ ସମସ୍ୟା।
ଦୈନିକ ଏକ ଲକ୍ଷ ଲୋକ ହେବେ ଉପକୃତ
ଭୁବନେଶ୍ୱର, ୨୩/୧୨: କଟକ ଓ ଜଗତସିଂହପୁର ଜିଲ୍ଲାର ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ସହ ଉପୁଜୁଥିବା ଟ୍ରାଫିକ୍ ସମସ୍ୟାର ସମାଧାନ ଉଦ୍ଦେଶ୍ୟରେ ନିର୍ମିତ ନୂଆ ରେଲୱେ ଓଭର ବ୍ରିଜକୁ ଆଜି ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅପରାହରେ ଉଦ୍ଘାଟନ କରିଛନ୍ତି । ୬୦ କୋଟି ୯୩ ଲକ୍ଷ ୬୫ ହଜାର ବ୍ୟୟରେ ନିର୍ମିତ ଏହି ସେତୁ କଟକ ସହର ଓ ଜଗତସିଂହପୁର ଜିଲ୍ଲା ମଧ୍ୟରେ ଯାତାୟତ ସମୟକୁ କମ୍ କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ନୂଆବଜାର ଛକରୁ ପ୍ରେସ୍ ଛକକୁ ସଂଯୋଗ କରୁଥିବା ୫୧୧ମିଟର ଦୈର୍ଘ୍ୟବିଶିଷ୍ଟ ଏହି ସେତୁ ଦ୍ୱାରା ବିଭିନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ, କର୍ମଜୀବୀ, ରୋଗୀ, ବରିଷ୍ଠ ନାଗରିକଙ୍କ ଗମନାଗମନ ସୁଗମ କରିବା ସହ ବ୍ୟବସାୟିକ କାରବାରକୁ ସହଜ କରିବ । ଏହି ସେତୁ ଦ୍ୱାରା ଦୈନିକ ପ୍ରାୟ ୧ ଲକ୍ଷ ଲୋକ ଉପକୃତ ହେବେ ।
ଏହି ସେତୁର ଉଦ୍ଘାଟନ ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଉଚ୍ଚ ମାନର ଓ ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ ଜରିଆରେ ରାଜ୍ୟର ବିକାଶକୁ ଆଗେଇ ନେବାଲାଗି ରାଜ୍ୟ ସରକାର ସଂକଳ୍ପବଦ୍ଧ । ବର୍ତ୍ତମାନ ଓଡ଼ିଶା ସମଗ୍ର ଦେଶରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିବାବେଳେ ଏହିଭଳି ସୁଦୃଢ଼ ଯୋଗାଯୋଗ ବ୍ୟବସ୍ଥା ପ୍ରତ୍ୟେକ କୋଣର ଲୋକଙ୍କୁ ପରସ୍ପର ସହ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ।
ଏହି ଉଦ୍ଘାଟନ ଉତ୍ସବରେ କଟକ ସାଂସଦ ଭର୍ତ୍ତୃହରି ମହତାବ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, କଟକ-ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ, କଟକ ବାରବାଟି ବିଧାୟିକା ସୋଫିୟା ଫିରଦୋସ୍, ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ବାହୁସାହେବ ସିନ୍ଦେ, ସମାଜସେବୀ ନୟନ ମହାନ୍ତି, ଅଭିନେତା ଶ୍ରୀତମ୍ ଦାସ, ପୂର୍ତ୍ତ ବିଭାଗ ସୁପରିଟେଣ୍ଡେଣ୍ଟ ଇଞ୍ଜିନିଅର ଜ୍ୟୋତି ରଞ୍ଜନ ପତିଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।