୨୦୨୪ରେ ଭିଜିଲାନ୍ସର ଉଲ୍ଲେଖନୀୟ ସଫଳତା
୨୦୨୪ରେ ଦୁର୍ନୀତି ବିରୋଧରେ ହୋଇଥିବା ତଦନ୍ତକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ଭିଜିଲାନ୍ସ।
ବର୍ଷରେ ଗିରଫ ହୋଇଛନ୍ତି ୧୮୧, ଦୋଷୀ ସାବ୍ୟସ୍ତ ହୋଇଛନ୍ତି ୧୦୫ ଅଧିକାରୀ
ଭୁବନେଶ୍ୱର, ୩୧/୧୨: ୨୦୨୪ରେ ଭିଜିଲାନ୍ସକୁ ମିଳିଛି ବଡ଼ ସଫଳତା। ଦୁର୍ନୀତିଖୋରଙ୍କୁ ଧରିବାରେ ଏକ ମାଇଲଖୁଣ୍ଟ ହାସଲ କରିଛି ଓଡ଼ିଶା ଭିଜିଲାନ୍ସ। ୨୦୨୪ରେ ଦୁର୍ନୀତି ବିରୋଧରେ ହୋଇଥିବା ତଦନ୍ତକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଛି ଭିଜିଲାନ୍ସ।
ରିପୋର୍ଟ ଅନୁଯାୟୀ, ବିଭିନ୍ନ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଅଭିଯୋଗରେ ଭିଜିଲାନ୍ସ ୨୦୦ରୁ ଅଧିକ ଅପରାଧିକ ମାମଲା ରୁଜୁ କରିବା ସହ ସରକାରୀ ଅଧିକାରୀଙ୍କ ସମେତ ୧୮୧ ଜଣଙ୍କୁ ଗିରଫ କରିଛି।
ସେମାନଙ୍କ ମଧ୍ୟରୁ ୬ ଜଣ ମୁଖ୍ୟ ଯନ୍ତ୍ରୀ, ଜଣେ ଯୁଗ୍ମ ଅବକାରୀ କମିଶନର, ଜଣେ ମତ୍ସ୍ୟ ଉପନିର୍ଦ୍ଦେଶକ, ସିଟି ଓ ଜିଏସଟିର ଦୁଇ ଜଣ ସହକାରୀ କମିଶନର, ଜଣେ ଜେଲ ଅଧୀକ୍ଷକ, ଜଣେ ଉପଜିଲ୍ଲାପାଳ, ଦୁଇ ଜଣ ତହସିଲଦାର, ୨ ଜଣ ବିଡିଓଙ୍କ ସମେତ ୫୦ ଜଣ ଶ୍ରେଣୀ-୧ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସେହିପରି ୧୯ ଜଣ ଇଞ୍ଜିନିୟର, ୨୨ ଜଣ ରାଜସ୍ବ ଅଧିକାରୀ, ୨୦ ଜଣ ପଞ୍ଚାୟତିରାଜ ବିଭାଗ ଅଧିକାରୀ, ୯ ଜଣ ପୁଲିସ ଅଧିକାରୀ, ୫ ଜଣ ଡାକ୍ତର, ୩ ଜଣ ବନ ଅଧିକାରୀ ଓ ୩ ଜଣ ଆଇସିଡିଏସ୍ କର୍ମକର୍ତ୍ତାଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୬୦ଟି ମାମଲା ରୁଜୁ କରିବା ସହ ୧୩୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ୧୯ ଲକ୍ଷ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ୯୯ ଜଣ ସରକାରୀ ଅଧିକାରୀଙ୍କ ସମେତ ୧୧୫ ଜଣ ଧରାପଡ଼ିଥିବା ବେଳେ ଭିଜିଲାନ୍ସ ପକ୍ଷରୁ ୯୬ଟି ମାମଲା ରୁଜୁ ହୋଇଛି।
ଭିଜିଲାନ୍ସ ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ସହ ଜଡ଼ିତ ୪୮୩ଟି ସ୍ଥାନରେ ଚଢ଼ାଉ କରିଛି। ଦୁର୍ନୀତିଗ୍ରସ୍ତଙ୍କ ୭୯୨ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିଛି। ୭୨ଟି ସ୍ଥାନରେ ପାଖାପାଖି ୨୭.୦୩ କୋଟି ଟଙ୍କା ମୂଲ୍ୟର ୧୯୪ଟି କୋଠା ଜବତ କରିଛି ଭିଜିଲାନ୍ସ। ସେହିପରି ୬୦ଟି ମାମଲାରେ ୩୮ ଜଣ ପତି-ପତ୍ନୀଙ୍କୁ ସହ ଭାଗିଦାରୀ ଭାବେ ଅଭିଯୁକ୍ତ ଅଛନ୍ତି। ୩୦୭ଟି ମାମଲାରେ ସଫଳତାର ସହ ତଦନ୍ତ ଶେଷ କରିଛି ଭିଜିଲାନ୍ସ।
ସେହିପରି ପ୍ରାୟ ୧୦୫ ଜଣ ଦୋଷୀ ସାବ୍ୟସ୍ତ ହେବା ସହ ୫୦ ପ୍ରତିଶତ ଦୋଷୀ ସାବ୍ୟସ୍ତ ହୋଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହାର ପ୍ରାୟ ୮୦ ପ୍ରତିଶତ ରହିଛି। ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ୨୫ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।