ପିଏମ-ଉଷା ଯୋଜନାରେ ଓଡ଼ିଶାକୁ ୬୭୦ କୋଟି ଟଙ୍କାର ଅନୁଦାନ
ଭିତ୍ତିଭୂମି ସୁଦୃଢ ଓ ଲିଙ୍ଗଗତ ସମାନତା ସୁନିଶ୍ଚିତତା ଦିଗରେ ଖର୍ଚ୍ଚ ହେବ ଏହି ଅର୍ଥ
୪ ବିଶ୍ୱବିଦ୍ୟାଳୟକୁ ୪୦୦ କୋଟି
ଭୁବନେଶ୍ୱର, ୩୧/୧୨: ୨୦୨୫ ପୂର୍ବରୁ ଓଡ଼ିଶାର ୩୩ଟି ଶିକ୍ଷାନୁଷ୍ଠାନକୁ ପିଏମ-ଉଷା ଯୋଜନା (ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ) ଅଧୀନରେ ୬୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମୟୂରଭଞ୍ଜର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଶିକ୍ଷା ଓ ଗବେଷଣାର ଉନ୍ନତି ପାଇଁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ୧୦୦ କୋଟି ଲେଖାଏଁ ମୋଟ ୪୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।
ସେହିପରି କୋରାପୁଟର ବିକ୍ରମ ଦେବ ସ୍ୱୟଂଶାସିତ ବିଶ୍ୱବିଦ୍ୟାଳୟ, ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଏବଂ କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ସମ୍ବଲପୁରର ଓଡ଼ିଶା ମୁକ୍ତ ବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟକୁ ୨୦ କୋଟି ଟଙ୍କା ଲେଖାଏଁ ଆବଣ୍ଟନ କରାଯାଇଛି। ଏହା ବ୍ୟତୀତ ରାଜ୍ୟର ଆଉ ୨୯ଟି ଶିକ୍ଷାନୁଷ୍ଠାନକୁ ୫ କୋଟି ଲେଖାଏଁ ଅନୁଦାନ ମିଳିଛି ବୋଲି ଓଡ଼ିଶା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍ତି।
ଏହି ବିଶ୍ୱବିଦ୍ୟାଳୟ ଏବଂ ସେମାନଙ୍କ ଅଧୀନରେ ଥିବା କଲେଜଗୁଡ଼ିକୁ ପିଏମ୍-ଉଷା ଅଧୀନରେ କାର୍ଯ୍ୟ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଦାଖଲ କରିବାକୁ ପଡ଼ିବ। ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଉନ୍ନତମାନର ଗବେଷଣା କାର୍ଯ୍ୟ ପାଇଁ ଭିତ୍ତିଭୂମି ଓ ଉପକରଣ ଯୋଗାଇ ଦିଆଯିବ। ଭିତ୍ତିଭୂମି ସୁଦୃଢ ଓ ଲିଙ୍ଗଗତ ସମାନତା ସୁନିଶ୍ଚିତତା ଦିଗରେ ଏହି ଅର୍ଥ ଖର୍ଚ୍ଚ ହେବ।ଭୁବନେଶ୍ୱର, ୩୧/୧୨: ଆମ ସରକାର ଆସିବାର ୮୧ ଦିନ ମଧ୍ୟରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରଳାୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା (ପିଏମ-ଉଷା) ପ୍ରଣୟନ ନିମନ୍ତେ ଅନୁଷ୍ଠିତ ହୋଇଥିବା ତୃତୀୟ ପ୍ରୋଜେକ୍ଟ ଆପ୍ରୁଭାଲ୍ ବୋର୍ଡ (3rd Project Approval Board) ବୈଠକର ନିଷ୍ପତ୍ତି ଅନୁଯାୟୀ ପିଏମ-ଉଷା ଯୋଜନାରେ ଓଡ଼ିଶାକୁ ୬୭୬.୭ କୋଟି ଟଙ୍କାର ଆର୍ଥିକ ରାଶି ଅନୁଦାନ ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି । ଏହା ନିଶ୍ଚିତ ଭାବେ ଓଡ଼ିଶାରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକର ଭିତ୍ତିଭୂମି ବିକାଶ ସହ ମାନବ ସମ୍ବଳ ବିକାଶ, ଗବେଷଣା ଏବଂ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ଦିଗରେ ସହାୟକ ହେବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂରଜ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ପ୍ରଣୟନ ପରିପ୍ରେକ୍ଷୀରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପ୍ରଣୟନ ନିମନ୍ତେ ସର୍ବମୋଟ ୬୭୬.୭ କୋଟି ଟଙ୍କା ଆର୍ଥିକ ରାଶି ଅନୁଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଏଥିମଧ୍ୟରୁ ୩୮ଟି ପ୍ରସ୍ତାବ ନିମନ୍ତେ ୬୭୦ କୋଟି ଟଙ୍କା ଏବଂ ମ୍ୟାନେଜମେଣ୍ଟ ମନିଟରିଙ୍ଗ ଇଭାଲ୍ୟୁସନ ଆଣ୍ଡ ରିସର୍ଚ୍ଚ (MMER) ଗ୍ରାଣ୍ଟ ନିମନ୍ତେ ୬.୭ କୋଟି ଟଙ୍କା ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି। ସର୍ବମୋଟ ୬୭୬.୭ କୋଟି ଟଙ୍କା ମଧ୍ୟରୁ କେନ୍ଦ୍ର ସରକାରଙ୍କ ତରଫରୁ ୪୦୮.୭ କୋଟି ଏବଂ ରାଜ୍ୟ ସରକାରଙ୍କ ତରଫରୁ ୨୬୮ କୋଟି ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯିବ।
ସର୍ବମୋଟ ଅନୁଦାନ ରାଶିକୁ ୫ଟି ବର୍ଗରେ ବିଭକ୍ତ କରାଯାଇଛି। ମଲ୍ଟି ଡିସିପ୍ଲିନାରୀ ଏଜୁକେସନ ଏବଂ ରିସର୍ଚ ୟୁନିଭରସିଟି (Multi Disciplinary Education and Research Universities – MERU) ବର୍ଗରେ ୪ ଟି ବିଶ୍ୱବିଦ୍ୟାଳୟଙ୍କୁ ୧୦୦ କୋଟି ଲେଖାଏଁ (ପ୍ରତ୍ୟେକଙ୍କୁ ୧୦୦ କୋଟି, ସର୍ବମୋଟ ୪୦୦ କୋଟି), ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ବର୍ଗରେ (Grants to Strengthen Universities) ୫ଟି ବିଶ୍ୱବିଦ୍ୟାଳୟକୁ ୨୦ କୋଟି ଲେଖାଏଁ (ପ୍ରତ୍ୟେକଙ୍କୁ ୫ କୋଟି, ସର୍ବମୋଟ ୧୦୦ କୋଟି), ମହାବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ବର୍ଗରେ (Grants to Strengthen Colleges) ୨୪ଟି ମହାବିଦ୍ୟାଳୟ କୁ ୫ କୋଟି ଲେଖାଏଁ (ପ୍ରତ୍ୟେକଙ୍କୁ ୫ କୋଟି, ସର୍ବମୋଟ ୧୨୦ କୋଟି) ଜେଣ୍ଡର ଇନକ୍ଲୁଜନ ଓ ଇକ୍ୱାଲିଟି ଇନିସିଏଟିଭ ବର୍ଗରେ (Gender Inclusion and Equality Initiatives) ୫ଟି ଜିଲ୍ଲାକୁ ୧୦ କୋଟି ଲେଖାଏଁ (ପ୍ରତ୍ୟେକଙ୍କୁ ୧୦ କୋଟି, ସର୍ବମୋଟ ୫୦ କୋଟି) ଏବଂ ଏମଏମଇଆର ଗ୍ରାଣ୍ଟ (MMER Grant) ନିମନ୍ତେ ୬.୭ କୋଟି ଟଙ୍କା ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି।
ମଲ୍ଟି ଡିସିପ୍ଲିନାରୀ ଏଜୁକେସନ ଏବଂ ରିସର୍ଚ୍ଚ ୟୁନିଭରସିଟି ବର୍ଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରତ୍ୟେକଙ୍କୁ ୧୦୦ କୋଟି ଟଙ୍କା ଲେଖାଏଁ ପ୍ରଦାନ କରାଯିବ।
ସେହିପରି ଭାବେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନାରେ ଆକାଂକ୍ଷୀ ଜିଲ୍ଲା (Aspirational District) ମାନଙ୍କରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ବିକାଶ ନିମନ୍ତେ ମଧ୍ୟ ଆର୍ଥିକ ରାଶି ଅନୁଦାନ ପ୍ରଦାନ କରାଯିବ, ଯାହାକି ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ସହ ସେମାନଙ୍କ ସ୍ୱର୍ଣ୍ଣିମ ଭବିଷ୍ୟତ ନିର୍ମାଣରେ ମଧ୍ୟ ସହାୟକ ହେବ।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ମାଧ୍ୟମରେ ବିଶ୍ୱବିଦ୍ୟାଳୟ ମାନଙ୍କରେ ସ୍ମାର୍ଟ କ୍ଲାସରୁମ, ଲାବ୍ରୋଟୋରି, କମ୍ପ୍ୟୁଟର ଲାବ୍ରୋଟୋରି, ଏକାଡେମିକ ବିଲଡିଂ, ଲାଇବ୍ରେରୀ ଆଦି ନିର୍ମାଣ କରାଯିବ। ଏଥିସହିତ ଉଚ୍ଚକୋଟୀରର ଗବେଷଣା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ମଧ୍ୟ ପ୍ରଦାନ କରାଯିବ। ଯୋଜନାରେ ଛାତ୍ରୀ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷାରୁ ଯେପରି ବଞ୍ଚିତ ନହେବେ ସେହି ଦିଗରେ ମଧ୍ୟ ଧ୍ୟାନ ଦିଆଯିବ। ଏଥିସହିତ ସେଲ୍ଫ ଡିଫେନ୍ସ ଟ୍ରେନିଙ୍ଗ, ମାନବ ସମ୍ବଳ ଓ ଦକ୍ଷତା ବିକାଶ ଦିଗରେ ମଧ୍ୟ କାର୍ଯ୍ୟ କରାଯିବ ଯାହା ଫଳରେ ଛାତ୍ରଛାତ୍ରୀମାନେ ନିଯୁକ୍ତିର ସୁଯୋଗ ପାଇପାରିବେ। ଆକାଂକ୍ଷୀ ଜିଲ୍ଲା ମାନଙ୍କରେ ଥିବା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ ଓ ଗୁଣବତ୍ତା ଶିକ୍ଷା ପ୍ରଦାନ ଦିଗରେ ମଧ୍ୟ ଗୁରୁତ୍ୱାରୋପ କରାଯିବ ଯାହା ଫଳରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ନାକ୍ (NAAC) ମାନ୍ୟତା ମିଳିପାରିବ ଏବଂ ଏଥିସହ ନିୟମିତ ଅନ୍ତରାଳରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଯୋଜନା ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ଗୁଡିକର ସମୀକ୍ଷା କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମତପ୍ରକାଶ କରିଥିଲେ।