ରାଜଧାନୀରେ ଯୁବକଙ୍କୁ ବିଭତ୍ସ ହତ୍ୟା ମାମଲା
ନୟାଗଡ଼ର ଶରଣକୂଳରୁ ଅଭିଯୁକ୍ତଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ।
ଜଣେ ମହିଳା ସମେତ ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୦୮/୦୧: ଆଜି ସକାଳୁ ସକାଳୁ ରକ୍ତ ରଞ୍ଜିତ ହୋଇଥିଲା ରାଜଧାନୀ ଭୁବନେଶ୍ୱର। ରସୁଲଗଡ଼-ବାଣୀବିହାର ଓଭରବ୍ରିଜ ଏନ୍ଏଚ୍ ୧୬ରେ ଜଣେ ପୋଲିସ ମିତ୍ର ତଥା ସଫେଇ କର୍ମଚାରୀ ସଂଘର ସଭାପତି ସହଦେବ ନାୟକଙ୍କୁ ହତ୍ୟା କରିବା ଘଟଣାରେ ତଦନ୍ତ କରି ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀଧର ନାୟକ, ରକି ନାୟକ ଓ ଲିପିକା ନାୟକ। ଏମାନେ ସମସ୍ତେ କେଦାରପଲ୍ଲୀ ବସ୍ତିର ବାସିନ୍ଦା। ଏମାନଙ୍କୁ ନୟାଗଡ଼ର ଶରଣକୂଳରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ। ତେବେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ରହିଛି। ତଦନ୍ତରୁ ଜଣା ପଡିଛି ଯେ, ବ୍ରାଉନସୁଗାର ବେପାର ଓ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ଅଭିଯୁକ୍ତ।
ସୂଚନାଯୋଗ୍ୟ, ଆଜି ସକାଳେ ସହଦେବ ନାୟକ ତାଙ୍କ ଝିଅକୁ ନେଇ ସ୍କୁଲରେ ଛାଡ଼ି ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା ଅଭିଯୁକ୍ତ ରସୁଲଗଡ଼ ବାଣୀବିହାର ଫ୍ଲାଏ ଓଭରବ୍ରିଜ ନିକଟରେ ତାଙ୍କୁ ଖଣ୍ଡାରେ ହାଣିଥିଲେ। ଯାହାଫଳରେ ସହଦେବଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମଞ୍ଚେଶ୍ୱର ଥାନା ପୋଲିସ ଉକ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସହଦେବ ନାୟକଙ୍କ ଶରୀରକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।