ପ୍ରବାସୀ ଭାରତୀୟ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଭାରତୀୟଙ୍କ ପାଇଁ ମୁଁ ବିଦେଶରେ ଗର୍ବିତ: ପ୍ରବାସୀଙ୍କୁ ମୋଦିଙ୍କ ସମ୍ବୋଧନ
ଭୁବନେଶ୍ୱର, ୦୯/୦୧: ଆଜି ୧୮ତମ ପ୍ରବାସୀ ଭାରତୀୟ ସମ୍ମିଳନୀ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ପ୍ରବାସୀ ଭାରତୀୟ ଏକ୍ସପ୍ରେସ୍ର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୭୫ରୁ ଅଧିକ ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ରାଜଭବନରୁ ବାହାରି ସିଧା ଜନତା ମଇଦାନ ଅଭିମୁଖେ ବାହାରିଥିଲେ। ପ୍ରଧାନମନ୍ତ୍ରୀ ମଞ୍ଚରେ ପହଞ୍ଚିବା ପରେ ସ୍ୱାଗତ ସଙ୍ଗୀତ ‘ବସୁଧୈବ କୁଟୁମ୍ବକମ୍’ ପରିବେଷଣ କରାଯାଇଥିଲା। ଏହାପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଏସ୍ ଜୟଶଙ୍କର ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ସେ ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧିତ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଅଭିଭାଷଣ ରଖିଥିଲେ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଲିଙ୍ଗରାଜ ଓ ଜଗନ୍ନାଥ ଭୂମିରେ ଆପଣଙ୍କୁ ସ୍ୱାଗତ। ଓଡ଼ିଶା କଳା ଓ ସଂସ୍କୃତିରେ ଭରପୂର୍। ଖଣ୍ଡଗିରି, ଉଦୟଗିରି ଓ କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ। ଧଉଳି ହେଉଛି ଶାନ୍ତିର ପ୍ରତୀକ। ଅଶୋକ ଓଡ଼ିଶାରୁ ହିଁ ଅହିଂସାର ରାସ୍ତା ଦେଖିଥିଲେ। ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧିରେ ଅଛି। ବାଲିଯାତ୍ରା ସମ୍ପର୍କରେ ଆଲୋକପାତ କରି କହିଥିଲେ ସମୁଦ୍ର ଯାତ୍ରା କରି ଲୋକେ ବଣିଜ କରିବାକୁ ଯାଉଥିଲେ। ସେଥିପାଇଁ ଏହାକୁ ସ୍ମରଣ କରି ବାଲିଯାତ୍ରା ଅନୁଷ୍ଠିତ ହୁଏ। ଓଡ଼ିଶାବାସୀଙ୍କ ଭଲପାଇବାକୁ ଭୁଲି ହେବ ନାହିଁ। ଦେଶରେ ଏବେ ସବୁଠି ଉତ୍ସବର ମାହୋଲ। କିଛି ଦିନ ପରେ କୁମ୍ଭମେଳା ହେବାକୁ ଯାଉଛି।
ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୁତ ପୂର୍ବ। ଭାରତ କଥାକୁ ଆଜି ପୂରା ବିଶ୍ୱ ଶୁଣୁଛି। ଅର୍ଥନୀତିରେ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ। ଖୁବଶୀଘ୍ର ବିଶ୍ୱରେ ଅର୍ଥନୀତିରେ ତୃତୀୟ ସ୍ଥାନକୁ ଉଠିବ ଭାରତ। ଆଜି ଭାରତ ଫାଇଟର ଜେଟ୍ ନିର୍ମାଣ କରୁଛି।
ପ୍ରବାସୀଙ୍କୁ ସମ୍ବୋଧିତ କରି କହିଥିଲେ, ମୁଁ ଭାରତୀୟମାନଙ୍କ ପାଇଁ ବିଦେଶରେ ଗର୍ବିତ। ଆପଣମାନଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛି। ଭାରତୀୟ ଯେଉଁଠି ଥାଆନ୍ତି, ସେଠାକାର ନିୟମ ସହ ଯୋଡ଼ି ହୁଅନ୍ତି। ଭାରତର ବିକାଶରେ ଆପଣମାନଙ୍କ ଯୋଗଦାନ ପ୍ରଶଂସାଯୋଗ୍ୟ। ଆପଣମାନଙ୍କ ଯୋଗଦାନ ବିକଶିତ ଭାରତର ଯାତ୍ରାକୁ ଆହୁରି ସଶକ୍ତ କରିବ। ଭାରତ ଆସିଲେ ୫ ଜଣ ବନ୍ଧୁଙ୍କୁ ସାଙ୍ଗରେ ଆଣନ୍ତୁ। ଭାରତର ପ୍ରକୃତ ଇତିହାସକୁ ଆଗକୁ ଆଣନ୍ତୁ।
ଏଥିସହ ପ୍ରବାସୀ ଭାରତୀୟଙ୍କୁ ଅପିଲ କରି ପ୍ରଧାନମନ୍ତ୍ରୀ କହିଥିଲେ, ମେଡ୍ ଇନ୍ ଇଣ୍ଡିଆ ସାମଗ୍ରୀ କ୍ରୟ କରନ୍ତୁ। ମା’ଙ୍କ ନାମରେ ଗୋଟିଏ ଗଛ ଲଗାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।