ଆୟୁଷ୍ମାନ ଭାରତ ପିଏମ-ଜନ ଆରୋଗ୍ୟ ଯୋଜନା: ନ୍ୟାସନାଲ ହେଲଥ ଅଥରିଟି ସହ ରାଜ୍ୟ ସରକାରଙ୍କ ଏମଓୟୁ

ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ମିଶାଇ ଆରମ୍ଭ କରାଯାଇଛି।

୨୦୨୪-୨୫ ପାଇଁ ୨୧ ହଜାର କୋଟି ମଞ୍ଜୁର

ନୂଆଦିଲ୍ଲୀ, ୧୩/୦୧: ଆଜିଠୁ ଓଡ଼ିଶାରେ ଲାଗୁ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଏ ନେଇ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନ୍ୟାସନାଲ ହେଲଥ ଅଥରିଟି ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ)କୁ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ମିଶାଇ ଆରମ୍ଭ କରାଯାଇଛି।

ସମଗ୍ର ରାଜ୍ୟରେ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ବ୍ୟାପକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏହାର ଲକ୍ଷ୍ୟ। ରାଜ୍ୟ ସରକାରଙ୍କ ତଥ୍ୟ ଆଧାରରେ ଓଡ଼ିଶାର ୧ କୋଟି ୩ ଲକ୍ଷ ପରିବାରକୁ ଏହି ଯୋଜନାରେ ସାମିଲ କରାଯିବ। ସେଥିମଧ୍ୟରୁ ୬୭ ଲକ୍ଷ ୮ ହଜାର ପରିବାର କେନ୍ଦ୍ର ସରକାରଙ୍କଠାରୁ ସହାୟତା ପାଇବେ। ଏଥିରେ ୨୩ ଲକ୍ଷରୁ ଉର୍ଦ୍ଧ୍ବ ୭୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଉପକୃତ ହେବେ। ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବାକୁ ଥିବା ବେଳେ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସେବା ମିଳିବ। ୨୦୨୪-୨୫ ଆର୍ଥିକ ବର୍ଷରେ ସ୍ୱାସ୍ଥ୍ୟ ସେବା ପାଇଁ ୨୧ ହଜାର କୋଟି ମଞ୍ଜୁର କରାଯାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସମେତ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଅଶ୍ୱତୀ ଏସ ଏବଂ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ)ର ସିଇଓ ଏଲଏସ ଚାଙ୍ଗସାନ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।