ଭୁବନେଶ୍ୱର, ୧୪/୦୧: ରାଜ୍ୟରେ ଆୟୁଷ୍ମାନ ଭାରତ ପିଏମ-ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ପାଇଁ ନ୍ୟାସନାଲ ହେଲଥ ଅଥରିଟି ସହ ରାଜ୍ୟ ସରକାରଙ୍କ ଏମଓୟୁ ସ୍ୱାକ୍ଷରିତ ହେବା ପରେ ଆଜି ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏ ନେଇ ଭୁବନେଶ୍ୱର ବିମାନ ବନ୍ଦରଠାରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ୨୦୧୮ରୁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହୋଇଥିଲେ ହେଁ ଓଡ଼ିଶାରେ ପୂର୍ବ ସରକାରଙ୍କ ହୀନମନ୍ୟତା ଯୋଗୁଁ ତାକୁ ଲାଗୁ କରିନଥିଲେ। ଗତକାଲି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ମିଶାଇ ଆରମ୍ଭ କରାଯାଇଛି। ଏଥିରେ ୧ କୋଟି ୩ ଲକ୍ଷ ଲୋକ ସାହାଯ୍ୟ ପାଇପାରିବେ ଏବଂ ଦେଶର ୩୦ ହଜାରରୁ ଊର୍ଦ୍ଧ୍ଵ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇପାରିବେ। ବିଶେଷକରି ଓଡ଼ିଶା ବାହାରେ ରହୁଥିବା ବ୍ୟକ୍ତି ଓ ବରିଷ୍ଠ ନାଗରିକମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ। ଯେଉଁମାନେ ସହରକୁ ନ ଆସି ପାରିବେ ସେମାନଙ୍କ ପାଇଁ ପ୍ରତି ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଲାଗୁ କରାଯିବ। ଏଥିରେ ଏଏନଏମ୍, ସ୍ବାସ୍ଥ୍ୟ କର୍ମୀ ଓ ଯୋଗ ଶିକ୍ଷକ ରହିବେ। ପ୍ରାଥମିକ ସ୍ତରରେ ପୁର୍ଣ୍ଣାଙ୍ଗ ଚିକିତ୍ସା ଯୋଗାଇ ଦିଆଯିବ। ଓଡ଼ିଶାର ସବୁ ଲୋକ ଚିକିତ୍ସା ପାଇ ପାରିବେ ବୋଲି ମୁଖ୍ୟମନ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି।
Next Post