କେନ୍ଦୁଝରରେ ବର୍ଦ୍ଧିତ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
୪ ଲକ୍ଷ ୧୫ ହଜାରରୁ ଊର୍ଦ୍ଧ୍ଵ ହିତାଧିକାରୀ ଉପକୃତ ହେବେ।
୮୦ ବର୍ଷରୁ ଉର୍ଦ୍ଧ୍ବ ଓ ଦିବ୍ୟାଙ୍ଗଙ୍କୁ ମିଳିଲା ୩୫୦୦ ଟଙ୍କା ଭତ୍ତା
ଭୁବନେଶ୍ୱର, ୧୫/୦୧: କେନ୍ଦୁଝରରୁ ବଣ୍ଟନ ହେଲା ସାମାଜିକ ସୁରକ୍ଷା ଭତ୍ତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବର୍ତ୍ତମାନ କେନ୍ଦୁଝର ଗସ୍ତରେ ଥିବା ବେଳେ ଜନସେବା ଦିବସ ଉପଲକ୍ଷେ ସେଠାରୁ ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ଭତ୍ତା ପ୍ରଦାନ କରିଛନ୍ତି। କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ବର୍ଦ୍ଧିତ ଭତ୍ତା ବଣ୍ଟନ କରିଛନ୍ତି।
ଆଜିଠୁ ୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ମିଳିଲା ୩୫୦୦ ଟଙ୍କା ଭତ୍ତା। ଏହା ଦ୍ବାରା ୪ ଲକ୍ଷ ୧୫ ହଜାରରୁ ଅଧିକ ହିତାଧିକାରୀ ଉପକୃତ ହେବେ।
ଗତ ବଜେଟ୍ରେ ମୁଖ୍ୟମନ୍ତ୍ରୀ ୮୦ ବର୍ଷରୁ ଅଧିକ ଏବଂ ୮୦ ପ୍ରତିଶତରୁ ଅଧିକ ଦିବ୍ୟାଙ୍ଗଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ପ୍ରଦାନ ନେଇ ଘୋଷଣା କରିଥିଲେ।