ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ
ଯୁଦ୍ଧ ଜାହାଜ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଏବଂ ଆଇଏନଏସ ବାଘଶୀରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ।
ନୌସେନାରେ ସାମିଲ ହେଲା ୩ ଯୁଦ୍ଧ ଜାହାଜ
ମୁମ୍ବାଇ, ୧୫/୦୧: ଆଜି ଭାରତୀୟ ସ୍ଥଳସେନାର ୭୭ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ମୁମ୍ବାଇର ନୌସେନା ଡକୟାର୍ଡରେ ତିନୋଟି ନୂତନ ଯୁଦ୍ଧ ଜାହାଜକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଯୁଦ୍ଧ ଜାହାଜ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଏବଂ ଆଇଏନଏସ ବାଘଶୀରକୁ ନୌସେନାରେ ସାମିଲ କରାଯାଇଛି। ସାମୁଦ୍ରିକ ନିରାପତ୍ତା ଓ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ।
ପ୍ରୋଜେକ୍ଟ ୧୫ବିରେ ନିର୍ମିତ ଆଇଏନ୍ଏସ୍ ସୁରଟ ଜାହାଜରେ ସେନସର ଓ ଯୁଦ୍ଧାସ୍ତ୍ର ଲାଗିଛି। ଏହା ଏକ ଗାଇଡେଡ୍ ମିସାଇଲ ଡିଷ୍ଟ୍ରୋୟର। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ବ୍ରହ୍ମାସ ଓ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ବାରାକ-୮ ଏଥିରେ ଲାଗିଛି। ସମୁଦ୍ର ଭିତରେ ଲଢେଇ ପାଇଁ ଆଇଏନ୍ଏସ୍ ସୁରଟରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ସବମେରାଇନ ୱିପନ ଲାଗିବା ସହ ସେଣ୍ଟର ହେଭି ୱେଟ ଟ୍ରପିଡୋ ଟ୍ୟୁବ ଲଞ୍ଚର ଏବଂ ଏସଡବ୍ଲ୍ୟୁ ରକେଟ ଲଞ୍ଚର ରହିଛି।
ପି-୧୭ଏ ଷ୍ଟିଲ୍ଥ ଫ୍ରିଗେଟ୍ ପ୍ରୋଜେକ୍ଟର ପ୍ରଥମ ଜାହାଜ ଆଇଏନଏସ ନୀଳଗିରିକୁ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଡିଜାଇନ ବ୍ୟୁରୋ ଦ୍ୱାରା ଡିଜାଇନ କରାଯାଇଛି। ଏହା ଆତ୍ମନିର୍ଭର ଭାରତର ଏକ ଅଂଶ। ଏହି ପ୍ରୋଜେକ୍ଟରେ ଏହା ଏକ ସିଭାଲିକ କ୍ଲାସର ଫ୍ରିଗେଟ। ଏଥିରେ ଆତ୍ମରକ୍ଷା କରାଯାଇପାରିବ।
ପି୭୫ ସ୍କର୍ପିନ୍ ପ୍ରୋଜେକ୍ଟର ଷଷ୍ଠ ତଥା ଅନ୍ତିମ ବୁଡ଼ାଜାହାଜ ଆଇଏନ୍ଏସ୍ ବାଘଶୀର ଫ୍ରାନ୍ସର ନୌସେନା ଗ୍ରୁପ୍ ସହଯୋଗରେ ନିର୍ମିତ ହୋଇଥିଲା। ‘ହଣ୍ଟର-କିଲର୍’ ବୁଡ଼ାଜାହାଜ ଭାବେ ପରିଚିତ ଆଇଏନଏସ ବାଘଶୀର ଭାରତର ସାମୁଦ୍ରିକ ଆଧିପତ୍ୟକୁ ସୁଦୃଢ଼ କରିବା ସହ ଚୀନ ଓ ପାକିସ୍ତାନ ଭଳି ଶତ୍ରୁପକ୍ଷଙ୍କ ପାଇଁ ପ୍ରତିରୋଧକ ଭାବେ କାର୍ଯ୍ୟ କରିବ।