ଦେଶ ପାଳିବ ୭୬ ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱରରେ ପତାକା ଉତ୍ତୋଳନ କରିବେ ରାଜ୍ୟପାଳ ହରି ବାବୁ କମ୍ଭମପତି।

ଦେଖନ୍ତୁ ଓଡ଼ିଶାରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ

ଭୁବନେଶ୍ୱର, ୨୧/୦୧: ସାରା ଦେଶ ପାଳିବ ୭୬ତମ ସାଧାରଣତନ୍ତ୍ର ଦିବସ। ଏଣୁ ଓଡ଼ିଶାରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ଦାୟିତ୍ୱ ବାଣ୍ଟିଛନ୍ତି ରାଜ୍ୟ ସରକାର। ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ରାଜ୍ୟପାଳ ହରି ବାବୁ କମ୍ଭମପତି ଜାତୀୟ ପତାକା ଉତ୍ତୋଳନ କରିବେ।

ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକରେ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବା ସହ ସମାବେଶକୁ ସମ୍ବୋଧିତ କରିବେ। ପୁରୀରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ଖୋର୍ଦ୍ଧାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଜାତୀୟ ପତାକା ଉତ୍ତୋଳନ କରିବେ।

ସୁନ୍ଦରଗଡ଼ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସୋନପୁରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, କୋରାପୁଟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଜଗତସିଂହପୁରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଯାଜପୁରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାୟଗଡ଼ାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଗଜପତିରେ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, ବାଲେଶ୍ୱରରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, କେନ୍ଦୁଝରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ନୂଆପଡ଼ାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଢେଙ୍କାନାଳରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ନୟାଗଡ଼ରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ମାଲକାନଗିରିରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ଅନୁଗୁଳ, ବାରିପଦା, ବରଗଡ଼, ଭଦ୍ରକ, ବଲାଙ୍ଗୀର, ବୌଦ୍ଧ, ଦେବଗଡ଼, ଛତ୍ରପୁର, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ସମ୍ବଲପୁର ଓ ଫୁଲବାଣୀରେ ଉକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ପତାକା ଉତ୍ତୋଳନ କରିବେ। କେନ୍ଦ୍ରାପଡ଼ା, ବ୍ରହ୍ମପୁର ଓ ରାଉରକେଲାରେ ଉକ୍ତ ଜୋନର ଆରଡିସିମାନେ ପତାକା ଉତ୍ତୋଳନ କରିବେ।