ଭୁବନେଶ୍ୱର, ୨୨/୦୧: ସୁଭଦ୍ରା ଯୋଜନାରେ ହୋଇଥିବା ଆବେଦନକୁ ନେଇ ବଡ଼ ତଥ୍ୟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିଛନ୍ତି ବହୁ ସଂଖ୍ୟକ ପୁରୁଷ। ଆଧାର କାର୍ଡ ଓ ବ୍ୟାଙ୍କ ଲିଙ୍କ ଡାଟା ଯାଞ୍ଚ କରିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା। ୧୫୭ ଜଣ ପୁରୁଷମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
ଯେହେତୁ ସୁଭଦ୍ରା ଯୋଜନା କେବଳ ମହିଳାସଶକ୍ତୀକରଣ ପାଇଁ ଉଦ୍ଦିଷ୍ଟ, ତେଣୁ ଏଥିରେ ପୁରୁଷମାନଙ୍କ ଆବେଦନକୁ ଖାରଜ କରାଯାଇଛି। ଏଥି ସହ ଉପମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଅଧୀନରେ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ଅନେକ ମହିଳା ବର୍ତ୍ତମାନ ରାଜ୍ୟ ବାହାରେ ରହୁଛନ୍ତି। ମୁଁ ସେମାନଙ୍କୁ ଏହି ଯୋଜନା ପାଇଁ ଆବେଦନ କରିବାକୁ ନିବେଦନ କରୁଛି।