୯‌ଟି ବିଭାଗର ୧୦ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା।

ନିଯୁକ୍ତ ହେବେ ୫୦୦୦ ଡାକ୍ତର

ଭୁବନେଶ୍ୱର, ୨୨/୦୧: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମୋଟ ୯ ଟି ବିଭାଗର ୧୦ ଟି ପ୍ରସ୍ତାବ ଆଗତ କରାଯାଇଥିଲା ଓ ସମସ୍ତ ପ୍ରସ୍ତାବ ଗୁଡ଼ିକ ଆଲୋଚନା ପରେ ଅନୁମୋଦନ କରାଯାଇଛି l (ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନ ସଭାର ତୃତୀୟ ଅଧିବେଶନ ଆହୂତ ସମ୍ପର୍କିତ) ଥିଲା। ଅନୁଷ୍ଠିତ ପ୍ରେସ ବିବୃତ୍ତି ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ସୂଚନା ଓ ଲୋକ ସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂ ଉପସ୍ଥିତ ଥିଲେ।

କ୍ୟାବିନେଟ ଅନୁମୋଦିତ ପ୍ରସ୍ତାବ:-

ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ ହେବ। ସରକାର ୬୭୯୪ ଟି ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ସ୍ମାର୍ଟ ସ୍କୁଲ ପ୍ରତିଷ୍ଠା କରିବେ। ଏହି ଯୋଜନା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବ ଏବଂ ପ୍ରତି ବିଦ୍ୟାଳୟ ପିଛା ୪ରୁ ୫ କୋଟି ଟଙ୍କା ଖର୍ଚ୍ଚ ହେବ। ୪ ବର୍ଷ ମଧ୍ୟରେ ଏହାର କାର୍ଯ୍ୟକାରିତା ଶେଷ ହୋଇ ୧୧୪ଟି ପ୍ରାଥମିକ ବିଦ୍ୟାଳୟରେ ପ୍ରାଥମିକ ଭାବେ ଆରମ୍ଭ ହେବ। ସମୁଦାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୨୦୨୮ ସୁଦ୍ଧା ଏହି କାମ ଶେଷ ହେବ।

ଷୋଡ଼ଶ ଅର୍ଥ ଆୟୋଗ ଫେବ୍ରୁଆରି ୪ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ୧୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କାର ଦାବିକୁ ପରବର୍ତ୍ତୀ ଅନୁମୋଦନ ପାଇଁ କମିଶନଙ୍କ ନିକଟରେ ରଖାଯିବ।

ସେମିକଣ୍ଡକ୍ଟର ଉତ୍ପାଦନ ପାଇଁ ରାଜ୍ୟ ସରକାର ଆରଆଇଆର ପାୱାର କମିଶନ ଲିମିଟେଡକୁ ଅଧିକ ସ୍ୱତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ପୂର୍ବରୁ ୩୦ ପ୍ରତିଶତ ଆର୍ଥିକ ସହାୟତା ଦିଆଯାଉଥିବା ବେଳେ ଏବେ ଅତିରିକ୍ତ ୨୦ ପ୍ରତିଶତ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟ ସରକାର ୧୧୦ କୋଟି ଟଙ୍କା ବ୍ୟୟ ବରାଦ କରିବେ।

ରାଜ୍ୟରେ ଶୀତଳ ଭଣ୍ଡାର ପାଇଁ ୬୦ ପ୍ରତିଶତ ସବସିଡି ଏବଂ ୪ଟି ସ୍ଲାବରେ ୬ କୋଟି ୫୦ ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରିବେ ସରକାର। ବିଦ୍ୟୁତ ଉପରେ ମଧ୍ୟ ସରକାର ସବସିଡି ଦେବେ।

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପାଇଁ ଚଳିତ ଆର୍ଥିକ ବର୍ଷ ପାଇଁଁ ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଆସନ୍ତା ୫ ବର୍ଷ ପାଇଁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏଥି ପାଇଁ ଗ୍ରାମ୍ୟ ପଲ୍ଲିସଭାରେ ନିଷ୍ପତ୍ତି ନିଆଯିବ।

ବାଣିଜ୍ୟିକ ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନରୁ ଅଦଳବଦଳ ଆଧାରରେ ମିଳିଥିବା ଅବଧି ଋଣ ପାଇଁ ଗ୍ରିଡକୋ ଲିମିଟେଡ ସପକ୍ଷରେ ୩୧୦୮ କୋଟି ୨୧ ଲକ୍ଷ ଟଙ୍କାର ସରକାରୀ ଗ୍ୟାରେଣ୍ଟିକୁ କାର୍ଯ୍ୟୋତ୍ତର ଅନୁମୋଦନ ପ୍ରଦାନ କରିଛନ୍ତି। ଯାହା ଗ୍ରିଡକୋ ଲିମିଟେଡର ସୁଧ ହାରକୁ ହ୍ରାସ କରିବ।

ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟ ସେବା ୨୦୧୭ ନିୟମାବଳୀରେ ସଂଶୋଧନ କରିଛି ରାଜ୍ୟ କ୍ୟାବିନେଟ୍। ଆଗାମୀ ଦିନରେ ୫ ହଜାର ନୂଆ ଡାକ୍ତର ଓ ୧୨୬ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ଦିଆଯିବ।

ଓଡ଼ିଶା ରାଜ୍ୟ ବିଧି ଆୟୋଗ ୨୦୧୬ରେ ସଂଶୋଧନ କରାଯିଇଛି। ଆୟୋଗର ସଭାଧ୍ୟକ୍ଷ, ଅନ୍ୟ ପୂର୍ଣ୍ଣ କାଳୀନ ଅଣ-ସରକାରୀ ସଦସ୍ୟ ଓ ଅଂଶକାଳୀନ ସଦସ୍ୟମାନଙ୍କ ଚୟନ ପାଇଁ ଥିବା ବୟସର ପ୍ରତିବନ୍ଧକକୁ ଉଠାଇ ଦିଆଯାଇଛି।