ନୂଆଦିଲ୍ଲୀ, ୨୨/୦୧: ଟ୍ରାଇ ଜାରି କଲା ନୂଆ ଗାଇଡଲାଇନ। ଆଜିକାଲି ଦୁଇଟି ସିମ୍ ବ୍ୟବହାର କରିବା ସାଧାରଣ ହୋଇଗଲାଣି। ସାଧାରଣତଃ ଲୋକମାନେ ଗୋଟିଏ ସିମ୍ ନିୟମିତ ରିଚାର୍ଜ ହେଉଥିବା ବେଳେ ଅନ୍ୟ ସିମରେ ରିଚାର୍ଜ କରିବାକୁ ଭୁଲି ଯାଆନ୍ତି କିମ୍ବା ଆର୍ଥିକ କାରଣରୁ ବିଳମ୍ବ କରିଥାଆନ୍ତି। କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ନୂଆ ଗାଇଡଲାଇନ୍ ଜାରି କରିଛି।
ନୂଆ ନିୟମ ଅନୁସାରେ, ବର୍ତ୍ତମାନ କୌଣସି ସିମ୍ କାର୍ଡର ବୈଧତା ଶେଷ ହେବା ପରେ ମଧ୍ୟ ଏହା ୯୦ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବ। ଅର୍ଥାତ୍ ଯଦି ଆପଣ ୩ ମାସ ପର୍ଯ୍ୟନ୍ତ ରିଚାର୍ଜ କରିପାରିବେ ନାହିଁ, ତେବେ ଆପଣଙ୍କ ସିମ୍ ସେବା ସକ୍ରିୟ ରହିବ ଏବଂ ଟେଲିକମ୍ କଂପାନି ସେହି ନମ୍ବରକୁ ଅନ୍ୟ କୌଣସି ଗ୍ରାହକଙ୍କୁ ଦେବେ ନାହିଁ। ଏଥିପାଇଁ ୨୦ ଟଙ୍କାର ସର୍ବନିମ୍ନ ରିଚାର୍ଜ କରିବାକୁ ହେବ। ଯଦି ୯୦ ଦିନ ପରେ ମଧ୍ୟ ରିଚାର୍ଜ ନ ହୁଏ ଏବଂ ୨୦ ଟଙ୍କାର ବାଲାନ୍ସ ସିମରେ ରହିଯାଏ ତେବେ କମ୍ପାନୀ ସେହି ବାଲାନ୍ସରୁ ୨୦ ଟଙ୍କା କାଟି ୩୦ ଦିନର ଅତିରିକ୍ତ ବୈଧତା ଦେବ। କିନ୍ତୁ ଯଦି ସିମରେ ବାଲାନ୍ସ ନ ରହିବ ତେବେ ନମ୍ବର ବନ୍ଦ ହୋଇଯିବ। ସେହିପରି ବିନା ରିଚାର୍ଜରେ ବିଏସଏନଏଲ ସିମ୍ ୧୮୦ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିବ।
ବର୍ତ୍ତମାନ ପର୍ଯ୍ୟନ୍ତ ବୈଧତା ସରିବା ପରେ ତୁରନ୍ତ ରିଚାର୍ଜ କରିବା ଜରୁରୀ ଥିଲା, ନଚେତ୍ ଇନକମିଙ୍ଗ କଲ ସେହିଦିନ ବନ୍ଦ ହୋଇଯାଉଥିବା ବେଳେ ଆଉଟଗୋଇଙ୍ଗ କଲ୍ ୭ ଦିନ ପରେ ବନ୍ଦ ହୋଇଯାଉଛି। କିନ୍ତୁ ଟ୍ରାଇର ବର୍ତ୍ତମାନ ନିୟମ ଗ୍ରାହକଙ୍କ ମଧ୍ୟରେ ଆଶ୍ୱସ୍ତି ଆଣି ଦେବ। ଟ୍ରାଇର ଏହି ନୂଆ ନିୟମ ଜିଓ, ଏୟାରଟେଲ ଏବଂ ଭୋଡା-ଆଇଡିଆ ସମେତ ସମସ୍ତ ଟେଲିକମ ଅପରେଟରଙ୍କ ପାଇଁ ଲାଗୁ ହେବ ।