ବିରୋଧୀଙ୍କ ଗଠନମୂଳକ ପରାମର୍ଶକୁ ସ୍ୱାଗତ

ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବନି

ଭୁବନେଶ୍ୱର, ୨୩/୦୧: ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଫେବ୍ରୁଆରି ୧୩ତାରିଖରୁ ଆରମ୍ଭ ହେଉଥିବା ବେଳେ ବାଚସ୍ପତି ସୁରମା ପାଢ଼ୀ ଫଳପ୍ରଦ ଅଧିବେଶନ ପାଇଁ ଆଶା ବ୍ୟକ୍ତ କରିଛନ୍ତି। ଗଣମାଧ୍ୟମରେ ସୂଚନା ଦେଇ ବାଚସ୍ପତି କହିଛନ୍ତି, ଶାସକ ଦଳ ବଜେଟ୍ ଉପସ୍ଥାପନ କରିବ। ଏବଂ ବିରୋଧୀ ଦଳଗୁଡ଼ିକର ଗଠନମୂଳକ ପରାମର୍ଶକୁ ସ୍ୱାଗତ କରାଯିବ କିନ୍ତୁ ଗୃହରେ ବାଧା ସୃଷ୍ଟି କରିବାକୁ ଚାହୁଁଥିଲେ ତାହା ବରଦାସ୍ତ କରାଯିବ ନାହିଁ। ଖୁବ୍ ଶୀଘ୍ର ସର୍ବଦଳୀୟ ବୈଠକ ଡକାଯିବ। ହେଲେ ଏପର୍ଯ୍ୟନ୍ତ ତାରିଖ ଚୂଡ଼ାନ୍ତ ହୋଇନାହିଁ ବୋଲି ବାଚସ୍ପତି କହିଛନ୍ତି।

ଫେବ୍ରୁଆରି ୧୩ରେ ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବ। ଅଭିଭାଷଣ ପରେ ଫେବ୍ରୁଆରି ୧୪ ଓ ୧୫ ରେ ଦୁଇ ଦିନିଆ ଆଲୋଚନା ହେବ। ଚଳିତ ଅଧିବେଶନରେ ୨୮ଟି କାର୍ଯ୍ୟଦିବସ ରହିବ। ଏଥିରେ ୩ ଦିନ ସରକାରୀ ଏବଂ ୩ ଦିନ ବେସରକାରୀ କାର୍ଯ୍ୟକ୍ରମ ପାଇଁ ସମୟ ସ୍ଥିର କରାଯାଇଛି। ଫେବ୍ରୁଆରି ୧୭ରେ ବଜେଟ୍ ଉପସ୍ଥାପନ କରାଯିବା ପରେ ଫେବ୍ରୁଆରି ୨୦ ଓ ୨୧ରେ ବିସ୍ତୃତ ଆଲୋଚନା ହେବ। ଫେବ୍ରୁଆରି ୨୨ରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଷ୍ଟାଣ୍ଡିଂ କମିଟି ବଜେଟ୍ ସମୀକ୍ଷା କରିବେ। ଏହି କମିଟିଗୁଡ଼ିକ ମାର୍ଚ୍ଚ ୭ତାରିଖରେ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବେ। ମାର୍ଚ୍ଚ ୧୦ରୁ ଖର୍ଚ୍ଚ ଦାବି ସମ୍ପର୍କରେ ଆଲୋଚନା ହେବ। ଏହାପରେ ୨୯ ତାରିଖରେ ବିନିଯୋଗ ବିଲ ଉପସ୍ଥାପନ ହେବ ବୋଲି ବାଚସ୍ପତି କହିଛନ୍ତି।