ନୃଶଂସ ସ୍ୱାମୀର ଅମାନୁଷିକ କାଣ୍ଡ

ନର ରୂପୀ ରାକ୍ଷାସ ସାଜି ସ୍ତ୍ରୀକୁ ହତ୍ୟା କଲା ପୂର୍ବତନ ସେନା କର୍ମଚାରୀ।

ସ୍ତ୍ରୀକୁ ମାରି ପ୍ରେସର କୁକରରେ ସିଝାଇଲା

ହାଇଦ୍ରାବାଦ, ୨୩/୦୧: ସ୍ୱାମୀ ସାଜିଲା ସଇତାନ। ଯାହାକୁ ବିବାହ କରିଥିଲା, ସେ ନର ରୂପୀ ରାକ୍ଷାସ ସାଜି ତାକୁ ହିଁ ଜୀବନରୁ ମାରିଲା। ଖାଲି ସେତିକି ନୁହେଁ, ନିଃଶ୍ୱାସ ଚାଲୁଥିବା ପର୍ଯ୍ୟନ୍ତ ମାରି ଚାଲିଲା। ଆଉ ତା’ପରେ ସ୍ତ୍ରୀର ମୃତ୍ୟୁ ହୋଇଯିବା ପରେ ତା’ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଲା। ଶେଷରେ ସେହି ଖଣ୍ଡ ଶରୀରକୁ ପ୍ରେସର କୁକରରେ ୩ ଦିନ ଯାଏଁ ସିଝାଇ ଚାଲିଲା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ତେଲେଙ୍ଗାନାର ହାଇଦ୍ରାବାଦରେ। ନିଜେ ନୃଶଂସ ସ୍ୱାମୀ ଘଟାଇଛି ଏଭଳି ବର୍ବର କାଣ୍ଡ।

ହାଇଦ୍ରାବାଦରେ ଜଣେ ପୂର୍ବତନ ସେନା କର୍ମଚାରୀ ନିଜ ପତ୍ନୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି ପ୍ରେସର କୁକରରେ ସିଝାଇ ହ୍ରଦରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ମହିଳାଙ୍କ ପିତାମାତା ନିଖୋଜ ଅଭିଯୋଗ କରିବା ପରେ ଏହି ଅପରାଧ ପଦାକୁ ଆସିଥିଲା।

ସୂଚନା ଅନୁଯାୟୀ, ପ୍ରକାଶମ ଜିଲ୍ଲାର ମୂଳ ବାସିନ୍ଦା ତଥା ପୂର୍ବତନ ସେନା ଯବାନ ଗୁରୁମୂର୍ତ୍ତି ଡିଆରଡିଓରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ସେ ଓ ତାଙ୍କ ସ୍ତ୍ରୀ ଭେଙ୍କଟ ମାଧବୀ ହାଇଦ୍ରାବାଦର ଜିଲେଲାଗୁଡାରେ ନିଜର ଦୁଇ ପିଲାଙ୍କ ସହ ରହୁଥିଲେ। ହେଲେ ଗତ ୧୫ ତାରିଖରେ ଉଭୟ ଦମ୍ପତିଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଗୁରୁମୂର୍ତ୍ତି ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିଲା। ହେଲେ ଏତିକିରେ ମନ ଶାନ୍ତି ହୋଇ ନଥିଲା। ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ପ୍ରେସର କୁକରରେ ସିଝାଇଥିଲା ଓ ପରେ ତାକୁ ନେଇ ଏକ ହ୍ରଦରେ ଫିଙ୍ଗି ଥିଲା।

୩୫ ବର୍ଷୀୟ ଭେଙ୍କଟ ମାଧବୀ ନିଖୋଜ ଥିବା ଗତ ଜାନୁଆରୀ ୧୮ ତାରିଖରେ ମୀରପେଟ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ପିତାମାତା। ଝିଅକୁ ନ ପାଇବାରୁ ଜ୍ୱାଇଁ ଉପରେ ସନ୍ଦେହ ଉପୁଜିଥିଲା। ଏ ନେଇ ପୋଲିସ ମଧ୍ୟ ଗୁରୁମୁର୍ତ୍ତିକୁ ସନ୍ଦେହ ପରିସରକୁ ଆଣିଥିଲା। ତଦନ୍ତ ବେଳେ ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୁରୁମୂର୍ତ୍ତି ମାଧବୀଙ୍କ ମୃତଦେହକୁ କିଛି ଅଂଶରେ କାଟି ଏକ ବୋତଲରେ ଭର୍ତ୍ତି କରି ଜିଲେଗୁଡ଼ା ନିକଟ ଚନ୍ଦନ ହ୍ରଦରେ ଫିଙ୍ଗି ଦେଇଥିଲା। ତେବେ ମୃତଦେହ ଏପର୍ଯ୍ୟନ୍ତ ମିଳିପାରିନାହିଁ ଏବଂ ତଦନ୍ତ ଜାରି ରହିଛି।