ପ୍ରଥମ ଥର ୧୦ ନିର୍ଜନ ଦ୍ୱୀପରେ ସାଧାରଣତନ୍ତ୍ର ଦିବସ ପାଳନ କରିବ ଓଡ଼ିଶା
ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି
ଭୁବନେଶ୍ୱର, ୨୫/୦୧: ଆସନ୍ତା କାଲି ସାରା ଦେଶରେ ପାଳନ ହେବାକୁ ଯାଉଛି ୭୬ତମ ସାଧାରଣତନ୍ତ୍ର ଦିବସ। ଓଡ଼ିଶାରେ ମଧ୍ୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଏଥର ଓଡ଼ିଶାରେ ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳନ ହେବ। ଓଡ଼ିଶା ଉପକୂଳରେ ଥିବା ୧୦ଟି ନିର୍ଜନ ଦ୍ୱୀପରେ ପ୍ରଥମ ଥର ପାଇଁ ପାଳନ ହେବ ସାଧାରଣତନ୍ତ୍ର ଦିବସ।
ମିଳିଥିବା ସୂଚନା ଅନୁଯାୟୀ, ତଟରକ୍ଷୀ ବାହିନୀ ଜନବସତି ନଥିବା ୧୦ଟି ଦ୍ୱୀପ ଚିହ୍ନଟ କରିଛି। ଏହି ୧୦ଟି ଦ୍ୱୀପରେ ପ୍ରଥମ କରି ଜାତୀୟ ପତାକା ଉତ୍ତୋଳନ କରାଯିବ। ଏ ନେଇ ଦ୍ୱୀପପୁଞ୍ଜରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଯେପରି କୌଣସି ପ୍ରକାର ବାଧା ସୃଷ୍ଟି ନ ହୁଏ ସେଥି ପ୍ରତି ଧ୍ୟାନ ଦିଆଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଡିଜି ଓ ଆଇଜିଙ୍କ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି।