ରାଜଧାନୀରେ ନିର୍ମାଣ ହେବ ଅତ୍ୟାଧୁନିକ ଶ୍ମଶାନ

ରାଜଧାନୀରେ ଦୁଇଟି ଶ୍ମଶାନର ଭିତ୍ତିପ୍ରସ୍ତର ସ୍ଥାପନା କରିବା ସହ ୨୨ଟି ଟ୍ରାଫିକ ସହାୟତା ପୋଷ୍ଟର ଉଦଘାଟନ କରିଛନ୍ତି ମନ୍ତ୍ରୀ।

ରହିବ ଆନୁଷଙ୍ଗିକ ସୁବ୍ୟବସ୍ଥା

ଭୁବନେଶ୍ୱର, ୦୭/୦୨: ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଛି ଜନ ସଂଖ୍ୟା। ଜନସଂଖ୍ୟା ଅଧିକ ହେତୁ ସହରରେ ଅନ୍ତିମ ସଂସ୍କାର ସେବାରେ ଅସୁବିଧା ସୃଷ୍ଟି ହେଉଛି। ଭୁବନେଶ୍ୱରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ୱରରେ ଦୁଇଟି ଶ୍ମଶାନ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର। ଡୁମୁଡୁମାଠାରେ ୪ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟରେ ଏବଂ ଅନ୍ୟ ଏକ ପଟିଆ ସ୍ଥିତ କାନନ ବିହାର ଅଞ୍ଚଳରେ ୬ କୋଟି ୬୫ ଲକ୍ଷ‌ ବ୍ୟୟରେ ନିର୍ମାଣ ହେବ ଶ୍ମଶାନ। ଏହି ଶ୍ମଶାନ ପରିସରରେ ବସିବା ପାଇଁ ସୁବିଧା କରାଯିବା ସହ ପୁରୁଷ ଓ ମହିଳା ଉଭୟଙ୍କ ପାଇଁ ପୃଥକ ଚେଞ୍ଜିଂ ରୁମ୍ ମଧ୍ୟ ରହିବ।

ଏତଦ୍ ବ୍ୟତୀତ ମନ୍ତ୍ରୀ ଖଣ୍ଡଗିରିଠାରେ ୨୨ଟି ଟ୍ରାଫିକ୍ ସହାୟତା ପୋଷ୍ଟକୁ ମନ୍ତ୍ରୀ ଉଦ୍ ଘାଟନ କରିଥିଲେ। ମୋଟ ୨.୬ କୋଟି ଟଙ୍କା ବ୍ୟୟରେ ୨୨ଟି ଟ୍ରାଫିକ୍ ସହାୟତା ପୋଷ୍ଟ ନିର୍ମାଣ କରାଯାଇଛି।

ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂହ, ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାଶ, ବିଡିଏ ଉପାଧ୍ୟକ୍ଷ ଏନ୍ ଥିରୁମାଲା ନାୟକ ଓ ବିଡିଏର ଅନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।