ଜାତୀୟ ଇ-ବିଧାନ ଆପ୍ଲିକେସନ ଅଧୀନରେ ‘ଡିଜିଟାଲ ହାଉସ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ବିଧାନ ସଭାରେ ଜାତୀୟ ଇ ବିଧାନ ଆପ୍ଲିକେସନ ଅଧୀନରେ 'ଡିଜିଟାଲ ହାଉସ' ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଡିଜିଟାଲାଇଜେସନକୁ ଗୁରୁତ୍ୱ

ଭୁବନେଶ୍ୱର, ୧୨/୦୨: ପେପର ଲେସ ହେଲା ଓଡିଶା ବିଧାନସଭା। ଏଥର ପେପର ନୁହେଁ ଟ୍ୟାବ ଧରି ପ୍ରଶ୍ନୋତ୍ତର କାର୍ଯ୍ୟରେ ଭାଗ ନେବେ ବିଧାୟକ। ସ୍ମାର୍ଟ୍ ହେବେ ବିଧାୟକ। ଡିଜିଟାଲାଇଜେସନ୍ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଓଡ଼ିଶା ବିଧାନସଭାକୁ ସମ୍ପୂର୍ଣ୍ଣ ପେପର ଲେସ କରାଯାଇଛି।

ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର (ଏନଆଇସି) ପକ୍ଷରୁ ନ୍ୟାସନାଲ ଇ-ବିଧାନ ଆପ୍ଲିକେସନ (ଏନଇଭିଏ) ପ୍ରୋଜେକ୍ଟ ଆରମ୍ଭ କରାଯାଇଛି। ଏହା ଅଧୀନରେ ଓଡ଼ିଶା ବିଧାନ ସଭାରେ ‘ଡିଜିଟାଲ ହାଉସ’ ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଉପସ୍ଥିତ ଥିଲେ।

ଇ-ବିଧାନ ଆପ୍ଲିକେସନ ବିଧାନସଭାର ସଦସ୍ୟମାନଙ୍କୁ ଡିଜିଟାଲ ମାଧ୍ୟମରେ ଦସ୍ତାବିଜ, ରିପୋର୍ଟ ଏବଂ ଅନ୍ୟାନ୍ୟ ସୂଚନା ଆକସେସ୍ କରିବାରେ ସକ୍ଷମ କରିବ। ବିଧାନସଭାର ୧୪୭ ଜଣ ସଦସ୍ୟଙ୍କ ପାଇଁ ଗୋଟିଏ ଲେଖାଏଁ ଟ୍ୟାବ୍ ଲଗାଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ୧୩ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଚଳିତ ଅଧିବେଶନରେ ୨୮ଟି କାର୍ଯ୍ୟଦିବସ ରହିଥିବା ବେଳେ ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ଏ ନେଇ ଗୃହ କାର୍ଯ୍ୟକୁ ସୁରୁଖୁରୁରେ ସମାପନ କରିବା ପାଇଁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।