ଲକ୍ଷ୍ମୀପୁର ଗଣଦୁଷ୍କର୍ମ ପୀଡିତାଙ୍କୁ ଭେଟିଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ
ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ପ୍ରତି ସମବେଦନା ନଜଣାଇବା ଦୁର୍ଭାଗ୍ୟଜନକ। ରାଜ୍ୟରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଘଟଣା ବୃଦ୍ଧି ପାଇଛି।
ପୀଡିତାଙ୍କ ଶାରୀରିକ ଓ ମାନସିକ ଅବସ୍ଥା ଭଲ ନାହିଁ: ସ୍ନେହାଙ୍ଗିନୀ ଛୁରିଆ
ଭୁବନେଶ୍ୱର, ୧୩/୦୨: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଗଣଦୁଷ୍କର୍ମ ଘଟଣାରେ ବିଜୁ ଜନତା ଦଳର ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଦସ୍ୟ ମାନେ ଆଜି ପୀଡିତା ଓ ତାଙ୍କ ପରିବାରର ସଦସ୍ୟ ମାନଙ୍କୁ ଭେଟି ସମବେଦନା ଜଣାଇବା ସହିତ ଘଟଣା ସମ୍ୱନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି ।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିବୃତିରେ କୁହା ଯାଇଛି ଯେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଆଦିବାସୀ ନାବାଳିକାର ଗଣଦୁଷ୍କର୍ମ ଘଟଣାର ଅନୁଧ୍ୟାନ ପାଇଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଆଜି ଲକ୍ଷ୍ମୀପୁର ଯାଇ ପୀଡିତା ଓ ତାଙ୍କ ପରିବାରବର୍ଗଙ୍କୁ ଭେଟିଥିଲା । ଟିମରେ ଦଳର ମହିଳା ସଭାନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ, କୋରାପୁଟର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସସ୍ମିତା ମେଳକା, ଶ୍ରମତି କୌଶଲ୍ୟା ହିକକା, ଶ୍ରୀମତୀ ଅନୁସୟା ମାଝୀ ଇତ୍ୟାଦି ଥିଲେ । ପରିବାରବର୍ଗକୁ ସମବେଦନା ଜଣାଇବା ସହିତ ଏହି ହୃଦୟ ବିଦାରକ ଘଟଣାକୁ ସମ୍ମୁଖୀନ ହେବା ପାଇଁ ବିଜୁ ଜନତା ଦଳ ପରିବାର ସହିତ ସବୁବେଳେ ଛିଡା ହୋଇ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
ପୀଡ଼ିତାଙ୍କୁ ଭେଟିବା ପରେ, ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ପୀଡିତାଙ୍କ ସ୍ୱାସ୍ଥ୍ୟ ଓ ମାନସିକ ଅବସ୍ଥା ଭଲ ନାହିଁ ଓ ସେ ଏବେ ଚିକିତ୍ସାଧୀନ ଅଛନ୍ତି । ତେଣୁ, ତାକୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରିବା ସହିତ ତାଙ୍କର ଉପଯୁକ୍ତ ଚିକିତ୍ସା ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରନ୍ତୁ ।
ସେ ଆହୁରି କହିଥିଲେ, ରାଜ୍ୟରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା ବିଶେଷକରି ଆଦିବାସୀ ଓ ଦଳିତ ମାନଙ୍କ ଉପରେ ପ୍ରତିଦିନ ଘଟୁଛି । ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟରତ ଥିବା ବେଳେ ଆଦିବାସୀ ବାଳିକା ମାନଙ୍କ ଉପରେ ଏପରି ଘଟଣା ମାନ ଘଟିବା ଚିନ୍ତାଜନକ ହୋଇ ପଡିଛି ବୋଲି ଶ୍ରୀମତୀ ଛୁରିଆ କହିଥିଲେ । ଦୁଃଖ ଓ ପରିତାପର ବିଷୟ, ଏହି ଭଳି ଘଟଣାକୁ କିପରି ରୋକାଯାଇ ପାରିବ ସେ ନେଇ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନେବା ତ ଦୂର କଥା ମୁଖ୍ୟମନ୍ତ୍ରୀ ପୀଡ଼ିତାଙ୍କ ପ୍ରତି ସମବେଦନା ମଧ୍ୟ ପ୍ରକାଶ କରି ନାହାନ୍ତି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅପରପକ୍ଷରେ, ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଲଢେଇ କରୁଛନ୍ତି ।