ନୂଆଦିଲ୍ଲୀ, ୧୩/୦୨: ମଣିପୁରରେ ଏନ୍ ବିରେନ୍ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୪ ଦିନ ପରେ ଆଜି ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ରାଜ୍ୟରେ ସୁରକ୍ଷା ବଢ଼ାଇ ଦିଆଯାଇଛି ଏବଂ ଇମ୍ଫାଲର କଙ୍ଗଲ କିଲ୍ଲା ବାହାରେ ସେନା ମୁତୟନ କରାଯାଇଛି। ବିରେନ ସିଂହଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟରେ ୨୧ ମାସ ଧରି ଜାତିଗତ ହିଂସା ଓ ବିବାଦ ଦେଖାଦେଇଥିଲା।
ଆଦିବାସୀ ଗୋଷ୍ଠୀ ମୈତେଇ ଏବଂ କୁକି-ଜୋ ସମ୍ପ୍ରଦାୟ ମଧ୍ୟରେ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିବା ଜାତିଗତ ହିଂସାରେ ୨୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ଫେବ୍ରୁଆରି ୯ ତାରିଖରେ ମୁଖ୍ୟମନ୍ତ୍ରୀ ବିରେନ ସିଂହଙ୍କ ଇସ୍ତଫା ଦେବା ମଧ୍ୟରେ ରାଜନୈତିକ ଅନିଶ୍ଚିତତା ସୃଷ୍ଟି ହେବା ସହ କେନ୍ଦ୍ର ସରକାର ରାଜ୍ୟ ଶାସନ ଭାର ନିଜ ନିୟନ୍ତ୍ରଣକୁ ନେଇଛନ୍ତି।
ଅନ୍ୟପଟେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମଣିପୁରର ଏକ କ୍ୟାମ୍ପରେ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ର ଜଣେ ଯବାନ ନିଜ ସହକର୍ମୀଙ୍କ ଉପରକୁ ଗୁଳି ଚଳାଇ ୨ ଜଣ ଯବାନଙ୍କୁ ହତ୍ୟା କରିବା ସହ ଅନ୍ୟ ୮ ଜଣଙ୍କୁ ଆହତ କରିଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ ବ୍ୟକ୍ତିଗତ କଳହରୁ ଏହି ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା।