ବିଶ୍ବର କ୍ଷୁଦ୍ରତମ କୁଜଥିବା ଗୋ ପ୍ରଜାତି ‘ପୁଙ୍ଗାନୁର’ ଗାଈ
ଉଚ୍ଚତା ପ୍ରାୟ ୭୦-୯୦ ସେଣ୍ଟିମିଟର, ଓଜନ ୧୧୫-୨୦୦ କିଲୋଗ୍ରାମ।
ଦୈନିକ ଦେଇଥାଏ ହାରାହାରି ୩.୫ ଲିଟର ଦୁଗ୍ଧ
ଭୁବନେଶ୍ବର, ୧୪/୦୨: ଯଦି ଆପଣଙ୍କୁ କୁହାଯାଏ ଯେ ଏକ ଗୋ ପ୍ରଜାତି ଯାହାର ଶରୀର କ୍ଷୁଦ୍ରତମ କିନ୍ତୁ ଏହାର କ୍ଷୀରର ସ୍ବାଦ କ୍ରିମ୍ ଠାରୁ ବି ଅଧିକ ମିଠା, ଆପଣ ବିଶ୍ବାସ କରିବେ ? କିନ୍ତୁ ଏହା ସତ । ଆମ ଭାରତରେ ହିଁ ରହିଛି ଏଭଳି ପ୍ରଜାତି । ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରୁ ଆସି ଚଳିତବର୍ଷ ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶାର ପହଞ୍ଚିଛି ବିଶ୍ବର କ୍ଷୁଦ୍ରତମ କୁଜ ଥିବା ଗାଈ- ପୁଙ୍ଗାନୁର ।
ଭୁବନେଶ୍ବରସ୍ଥିତ ବରମୁଣ୍ଡା ପଡ଼ିଆଠାରେ ଆରମ୍ଭ ହୋଇଯାଇଛି ତିନି ଦିବସୀୟ ମତ୍ସ୍ୟ-ପ୍ରାଣୀ ସମାବେଶ । ଏହି ସମାବେଶର ଅନ୍ୟତମ ଆକର୍ଷଣ ସାଜିଛି ବିଶ୍ବର ସବୁଠାରୁ କ୍ଷୁଦ୍ରତମ କୁଜ ଥିବା ଗୋ ପ୍ରଜାତି- ‘ପୁଙ୍ଗାନୁର’ । ଏହା ଏକ ଛୋଟ ପ୍ରଜାତିର ଗୃହପାଳିତ ଗାଈ ଭାବେ ଘରେ ଘରେ ଖ୍ୟାତି ଅର୍ଜନ କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ମସିହା ଜାନୁଆରୀ ୧୪ ମକର ସଂକ୍ରାନ୍ତି ଅବସରରେ ତାଙ୍କ ବାସଭବନରେ ପୁଙ୍ଗାନୁର ଗାଈଙ୍କୁ ଆଦର କରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହୋଇଥିଲା । ଏହାପରେ ଏହି ଗାଈ ଲୋକଲୋଚନକୁ ଆସିଥିଲା । ଏହି ଗାଈର ଉଚ୍ଚତା ୭୦-୯୦ ସେଣ୍ଟିମିଟର ହୋଇଥିବା ବେଳେ ଏହାର ଓଜନ ୧୧୫-୨୦୦ କିଲୋଗ୍ରାମ । ଏହା କମ୍ ଖାଦ୍ୟ ଆବଶ୍ୟକ କରିଥାଏ ଏବଂ ଉଭୟ ଶୁଷ୍କ ଓ ଉଷ୍ଣ ଜଳବାୟୁରେ ମଧ୍ୟ ଜୀବନଯାପନ କରିପାରେ । ଏହି ପ୍ରଜାତି ଭାରତୀୟ ଜଳବାୟୁ ସହ ଖାପ ଖୁଆଇ ରହିପାରିବ । ଏମାନେ ମୁଖ୍ୟତଃ ଶାନ୍ତ ସ୍ବଭାବର ଅଟନ୍ତି । ଏହି ପ୍ରଜାତି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ପ୍ରତୀକ ।
ଏହି ଗୋ ପ୍ରଜାତି ଦୈନିକ ହାରାହାରି ୩.୫ ଲିଟର ଦୁଗ୍ଧ ପ୍ରଦାନ କରିଥାନ୍ତି । ଏହାର ଦୁଗ୍ଧରେ ଘିଅ ଅଂଶ ୮ ପ୍ରତିଶତ ରହିଛି । ବିଶ୍ବ ପ୍ରସିଦ୍ଧ ତିରୁପତି ଲଡ଼ୁ ପୁଙ୍ଗାନୁର ଗାଈର ଘିଅରୁ ପ୍ରସ୍ତୁତ ହୋଇଥାଏ । ଏହି ଗାଈ ଆଞ୍ଚଳିକ ପର୍ବ ପର୍ବାଣୀ, ଉତ୍ସବ ଓ ସମୃଦ୍ଧିର ପ୍ରତୀକ ।