ଦିଲ୍ଲୀରୁ ଫେରୁଛି ଉତ୍ତମଙ୍କ ପାର୍ଥିବ ଶରୀର

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ

ଭୁବନେଶ୍ୱର, ୨୮/୦୨: ଆରପାରିରେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି। ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଆଜି ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପରଲୋକ ଘଟିଛି। ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହେବା ସହ ନିମୋନିଆରେ ମଧ୍ୟ ପୀଡ଼ିତ ଥିଲେ। ଏ ନେଇ ତାଙ୍କୁ ପ୍ରଥମେ ଭୁବନେଶ୍ଵରର କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଉଥିଲା। ହେଲ, ଅଧିକ ଚିକିତ୍ସା ପାଇଁ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ଉତ୍ତମଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ବିୟୋଗ କଳାକାର ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। କଳାକାର ଜଗତର ବିଶିଷ୍ଟ ଅଭିନେତା ଅଭିନେତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ଏହାରି ମଧ୍ୟରେ ଦିଲ୍ଲୀରୁ ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ଅଭିମୁଖେ ଆସୁଛି। ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ବୋଲି ଉତ୍ତମଙ୍କ ପାରିବାରିକ ବନ୍ଧୁ ତଥା ପ୍ରଯୋଜକ ରବି ମିଶ୍ର ଏହି ସୂଚନା ଦେଇଛନ୍ତି। ତାଙ୍କ ସହିତ ପୁଅ ବାବୁଶାନ ଓ ବୋହୁ ତୃପ୍ତି ଥିବା ବେଳେ ତାଙ୍କର ଶେଷ ଦର୍ଶନ ପାଇଁ ଭୁବନେଶ୍ୱରର ଜଗନ୍ନାଥ ବିହାର ସ୍ଥିତ ବାସଭବନରେ ଆସି ପହଞ୍ଚୁଛନ୍ତି ବିଶିଷ୍ଟ ବ୍ୟକ୍ତି। ଏହା ପୂର୍ବରୁ ପତ୍ନୀ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ଭୁବନେଶ୍ୱର ସ୍ଥିତ ବାସଭବନରେ ଆସି ପହଞ୍ଚି ସାରିଛନ୍ତି। ସତ୍ୟନଗର ସ୍ଥିତ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।