ଅଭିନୟର ଯାଦୁଗର ଚୀରସବୁଜ ଉତ୍ତମ
୧୬୬ଟି ସିନେମାରେ ଅଭିନୟର ଛାପ: ହିନ୍ଦୀ ଚଳଚ୍ଚିତ୍ରରେ ସାଜିଥିଲେ ମୁଖ୍ୟ ନାୟକ
କିଛି ଏମିତି ଥିଲା ଉତ୍ତମଙ୍କ ଜୀବନ, ବୈବାହିକ ଓ ଅଭିନୟ ଯାତ୍ରା
ଭୁବନେଶ୍ୱର, ୨୮/୦୨: ଉତ୍ତମ ମହାନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଉଜ୍ଜ୍ୱଳ ତାରକା। ଏବେ ଅଫେରା ରାଇଜର ନାୟକ। ଆଉ ଦେଖିବାକୁ ମିଳିବନି ଓଲିଉଡର ଏହି ‘ଦଣ୍ଡା ବାଳୁଙ୍ଗା’ଙ୍କୁ। ଦୀର୍ଘ ଦଶନ୍ଧିର କ୍ୟାରିୟର। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇ ପାଲଟି ଯାଇଥିଲେ ଓଡ଼ିଶାର ପ୍ରଥମ ସୁପରଷ୍ଟାର। ୧୩୫ଟି ଓଡ଼ିଆ ଚଳଚ୍ଚିତ୍ର, ୩୦ଟି ବଙ୍ଗଳା ଚଳଚ୍ଚିତ୍ର ଓ ‘ନୟା ଜହର’ ନାମକ ଏକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଉତ୍ତମ।
୧୯୫୮ ମସିହା ଡ଼ିସେମ୍ବର ୨୩ ତାରିଖରେ ଓଡ଼ିଶାର ବାରିପଦାରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ ମହାନ୍ତି। ଏମକେସି ହାଇସ୍କୁଲରେ ଶିକ୍ଷାଗ୍ରହଣ କରିବା ପରେ ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ ଏକାଦଶ ଓ ଦ୍ୱାଦଶ ପାଠ ପଢିଥିଲେ। ସେହି କଲେଜରେ ବିଜ୍ଞାନରେ ସ୍ନାତକ କରିଥିଲେ ଉତ୍ତମ। ପିଲାବେଳୁ ଅଭିନୟ ପ୍ରତି ଆଗ୍ରହ ନଥିବା ଉତ୍ତମଙ୍କର କଲେଜ ବେଳେ ଅଭିନୟ ପ୍ରତି ଆକୃଷ୍ଟ ହେଲେ। କଲେଜରେ ପାଠ ପଢିବା ବେଳେ ବିଭିନ୍ନ ଡ୍ରାମାରେ ଭାଗ ନେଲେ। ଗ୍ରାଜୁଏସନ୍ ଶେଷ କରିବା ପରେ ସେ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପାଇଁ ଲୁଧିଆନା ଚାଲି ଯାଇଥିଲେ। ଏହାପରେ ସେ ତାଙ୍କ ବଡ଼ ଭାଇ ସ୍ୱର୍ଗତ ଅରୁଣ ମହାନ୍ତିଙ୍କ ସହ ରହିଥିଲେ। ଶ୍ରୀ ମହାନ୍ତି କିଛି ଦିନ ପାଇଁ କୋଲକାତାରେ ରହି ସେଠାରେ ଚାଟାର୍ଡ ଆକାଉଣ୍ଟାନ୍ସି ପାଠ୍ୟକ୍ରମରେ ନାମ ଲେଖାଇଥିଲେ।
ସେତେବେଳେ ଓଡ଼ିଶାରେ ଏକ ଚଳଚ୍ଚିତ୍ର ସୁଟିଂ ବିଷୟରେ ଜାଣିବାକୁ ପାଇଥିଲେ। ଏହା ପରେ ଓଡ଼ିଶା ଚାଲି ଆସିଥିଲେ ଉତ୍ତମ। ଏହି ଚଳଚ୍ଚିତ୍ରର ନାମ ଥିଲା ‘ଅଭିମାନ’। ଏହିଥିରୁ ଡେବ୍ୟୁ କରିଥିଲେ ସେ। ମୁଖ୍ୟ ଭୂମିକା ପାଇଁ ଅନେକ ଦାବିଦାର ଥିଲେ ମଧ୍ୟ ଏହି ସିନେମାର ନିର୍ଦ୍ଦେଶକ ସାଧୁ ମେହେରଙ୍କ ପ୍ରଥମ ପସନ୍ଦ ଥିଲେ ଉତ୍ତମ। ଉତ୍ତମଙ୍କ ଅଭିନୟ ପ୍ରତି ଦକ୍ଷତା, ଆଗ୍ରହ ଓ ତାଙ୍କ ଅନ୍ଦାଜ ଯୋଗୁଁ ସାଧୁ ମେହେରଙ୍କ ପ୍ରଥମ ପସନ୍ଦ ଥିଲେ। ୧୯୭୭ ମସିହାରେ ମୁକ୍ତିଲାଭ ହୋଇଥିବା ଏହି ଚଳଚ୍ଚିତ୍ରଟି ସେତେବେଳେ ସୁପର ହିଟ୍ ହୋଇଥିଲା।
ଏହା ପରେ ସେ ଆଉ ପଛକୁ ଚାହିଁ ନଥିଲେ। ଓଡ଼ିଆ ସିନେ ଶିଳ୍ପକୁ ଯୋଗାଇ ଦେଇଥିଲେ ଗୋଟିଏ ପରେ ଗୋଟିଏ ହିଟ୍ ସିନେମା। ମହେଶ୍ୱେତାଙ୍କ ବିପକ୍ଷରେ ‘ପତି ପତ୍ନୀ’ ଫିଲ୍ମ୍ ମଧ୍ୟ ବେଶ ହିଟ୍ ହୋଇଥିଲା। ପରେ ‘ନିଝୁମ ରାତିର ସାଥୀ’, ‘ଚିହ୍ନା ଅଚିହ୍ନା’, ‘ରାମାୟଣ’ ଚଳଚ୍ଚିତ୍ର ବେଶ ଆଦୃତ ହୋଇପାରିଥିଲା।
ଏହାରି ମଧ୍ୟରେ ସେ ରୀତା ଚାନ୍ଦ, ସୁଜାତା ଆନନ୍ଦ, ତନ୍ଦ୍ରା ରାୟ, ମହାଶ୍ୱେତା ରାୟ, ଦୀପା ସାହୁ, ଶୁଭ୍ରା ପତି, ଅପରାଜିତା, ବୈଶାଳୀ, ସଙ୍ଗୀତା ଦାସ ଓ ରଚନା ବାନାର୍ଜୀଙ୍କ ପରି ଅଭିନେତ୍ରୀଙ୍କ ସହ ତାଙ୍କର ଯୋଡ଼ି ବେଶ ଜମୁଥିଲା। କେବଳ ମହେଶ୍ୱେତାଙ୍କ ବିପକ୍ଷରେ ୨୦ଟି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ବେଳେ କିଛି ଦିନ ଧରି ମହେଶ୍ୱତାଙ୍କ ସହ ତାଙ୍କ ବନ୍ଧୁତାର ସମ୍ପର୍କ ପ୍ରେମରେ ପରିଣତ ହୋଇଥିଲା। ଅବଶ୍ୟ ବେଶୀ ଦିନ ତିଷ୍ଠି ପାରିନଥିଲା ତାଙ୍କ ପ୍ରେମ ସମ୍ପର୍କ। ପରେ ଅପରାଜିତାଙ୍କ ବିପକ୍ଷରେ ୫୦ରୁ ଉର୍ଦ୍ଧ୍ବ ହିଟ୍ ଫିଲ୍ମ ଦେବା ସହ ତାଙ୍କୁ ପ୍ରେମ ବିବାହ କରିଥିଲେ ଉତ୍ତମ। ସେମାନେ ପ୍ରଥମ ଥର ପାଇଁ ଅସ୍ତରଙ୍ଗ (୧୯୮୨)ରେ ଏକାଠି ନଜର ଆସିଥିଲେ ଏବଂ ୧୭ ମଇ ୧୯୮୭ରେ ଭୁବନେଶ୍ୱର ମ୍ୟୁନିସିପାଲିଟି ଗେଷ୍ଟ ହାଉସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
ପରବର୍ତ୍ତୀ ସମୟରେ ସେ ଟେଲିଭିଜନ ଦୁନିଆରେ ପାଦ ରଖିଥିଲେ। ‘ଯେ ପକ୍ଷୀ ଉଡେ ଯେତେ ଦୁର’, ‘ସାରା ଆକାଶ’, ‘ପଣତକାନୀ’ ଓ ‘ଉତ୍ତରଦାୟୀ’ ଭଳି ତାଙ୍କ ଅଭିନୀତ ଧାରାବାହିକ ସବୁଠାରୁ ଲୋକପ୍ରିୟ। ହିନ୍ଦୀ ଧାରାବାହିକ ମଧ୍ୟରେ ‘ପଳାଶ’ ଏବଂ ବଙ୍ଗଳା ଧାରାବାହିକ ‘ବିଦେଶିନୀ ବୋହୁ’ ରେ ମଧ୍ୟ ଅଭିନୟ କରିଥିଲେ। ୧୯୯୧ରେ ରିଲିଜ ହୋଇଥିବା ଜ୍ୟୋତି ସ୍ୱରୂପଙ୍କ ନିର୍ଦ୍ଦେଶିତ ‘ନୟା ଜହର’ ହିନ୍ଦୀ ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବେ ଅବତୀର୍ଣ୍ଣ ହୋଇଥିଲେ।
ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ସହ ତାଙ୍କ ପୁଅ ବାବୁଶାନ ଙ୍କର ମଧ୍ୟ ଗଭୀର ଅବଦାନ ରହିଛି। ୮୦ ଓ ୯୦ ଦଶକରେ ଓଡ଼ିଆ ସିନେ ଶିଳ୍ପ ବୁଡି ଯାଉଥିବା ବେଳେ ଉତ୍ତମଙ୍କ କଳା ଯାଦୁଗରୀ ସିନେ ଶିଳ୍ପକୁ ଉଦ୍ଧାର କରିଥିଲା।
ଉତ୍ତମଙ୍କୁ ମିଳିଥିବା ସମ୍ମାନ:
ଶ୍ରେଷ୍ଠ ଅଭିନେତା- ଚିତ୍ରପୁରୀ ପୁରସ୍କାର
ଶ୍ରେଷ୍ଠ ଅଭିନେତା- ଫୁଲ ଚନ୍ଦନ (୧୯୮୨)
ଶ୍ରେଷ୍ଠ ଅଭିନେତା- ଝିଅଟି ସୀତା ପରି (୧୯୮୩)
ଶ୍ରେଷ୍ଠ ଅଭିନେତା- ଦଣ୍ଡା ବାଳୁଙ୍ଗା (୧୯୮୪)
ଶ୍ରେଷ୍ଠ ସହ-ଅଭିନେତା- ତୋ ବିନୁ ଅନ୍ୟ ଗତି ନାହିଁ (୧୯୯୧)
ଜୟଦେବ ପୁରସ୍କାର- (୧୯୯୯)
ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର- (୨୦୦୬)
ଶ୍ରେଷ୍ଠ ଅଭିନେତା, “ଫିଟଫାଟ ବାଇସ୍କୋପ ପୁରସ୍କାର”- (୨୦୦୮)
ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର- ୨୦୧୨
ଉତ୍ତମଙ୍କ ଅଭିନୟ ଛାପ ଆଜି ବି ଓଡ଼ିଶାବାସୀଙ୍କ ମନରେ ତାଜା ହୋଇ ରହିଛି। ତାଙ୍କ ମୃତ୍ୟୁ ସାରା ଓଡ଼ିଶାବାସୀଙ୍କ ଏକ ଅପୂରଣୀୟ କ୍ଷତି।