ଭୁବନେଶ୍ୱର, ୧୧/୦୩: ଗୃହରେ ସୃଷ୍ଟି ହୋଇଛି ଅପ୍ରିତୀକର ପରିସ୍ଥିତି। ଶାସକ ଓ ବିରୋଧୀ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ମଧ୍ୟରେ ବଡ଼ ଧରଣର ମୁହାଁମୁହିଁ ପରିସ୍ଥିତି ହୋଇଛି।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା। ପ୍ରଶ୍ନକାଳ ଚାଲିଥିବା ବେଳେ ବିରୋଧୀ ଦଳର ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ତଥା ଅପରାଧ ବିରୋଧରେ ଗୃହ ମଝିରେ ହଙ୍ଗାମା କରିଥିଲେ।
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିବୃତ୍ତି ରଖୁଥିବା ବେଳେ ବିରୋଧୀ ଦଳ ତାଙ୍କୁ କହିବାକୁ ସୁଯୋଗ ଦେଇନଥିଲେ। ଏହା ପରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହାରି ଭିତରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମଧ୍ୟରେ ମାରପିଟ୍ ପରିସ୍ଥିତି ଉପୁଜିଥିଲା। ଉଭୟ ଠେଲାପେଲା ହେବା ସହ ମାରପିଟ୍ ମଧ୍ୟ ହୋଇଥିଲେ। ଏହା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।
ତେବେ ଏହି ଘଟଣାକୁ ନେଇ ଝାରସୁଗୁଡ଼ାର ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଉଭୟ ବିଜେଡ଼ି ଓ କଂଗ୍ରେସକୁ କ୍ଷମା ମାଗିବାକୁ କହିଛନ୍ତି। ବିଧାୟକ କହିଛନ୍ତି, ବିରୋଧୀ ଦଳ ମନ୍ତ୍ରୀଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର କରିଛନ୍ତି। ବିରୋଧୀ ଦଳ ଭାବେ ଗୃହରେ କିଭଳି ବ୍ୟବହାର କରାଯିବା ସେମାନେ ଶିଖି ନାହାନ୍ତି। ତେଣୁ ଗୃହରେ ଏପରି ଅପ୍ରିତୀକର ପରିସ୍ଥିତି ସୃଷ୍ଟି କରିଥିବାରୁ କ୍ଷମା ମାଗନ୍ତୁ ବିରୋଧୀ ଦଳ ବୋଲି ସେ କହିଛନ୍ତି।