ଗୃହରୁ ନିଲମ୍ବିତ ହେଲେ ତାରା ବାହିନୀପତି

କଳାପଟି ବାନ୍ଧି କଂଗ୍ରେସର ପ୍ରତିବାଦ

ଗାନ୍ଧୀ ମୂର୍ତ୍ତୀ ତଳେ ସାରା ରାତି ଧାରଣା ଦେବୁ: ତାରାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର, ୧୧/୦୩: ଆଜି ବିଧାନସଭାରେ ଦେଖାଦେଇଥିଲା ରାଜନୈତିକ ଡ୍ରାମା। ଦିନ ତମାମ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବା ପରେ ସୃଷ୍ଟି ହୋଇଥିଲା ଅପ୍ରିତୀକର ପରିସ୍ଥିତି। ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ଗୃହରେ ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ। ଏହା ସହିତ ଜୟ ନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଥିଲେ। ଯାହା ପରେ ଦିନ ତମାମ ରାଜନୈତିକ ଡ୍ରାମା ସୃଷ୍ଟି ହୋଇଥିଲା।

ଏହି ଘଟଣାକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ବିରୋଧରେ ନିଲମ୍ବନ ପ୍ରସ୍ତାବ ଆଣିଥିଲେ। ଏହାକୁ ଅନୁମୋଦନ କରି ବାଚସ୍ପତି ସୁରମା ପାଢ଼ୀ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି।

ତେବେ ତାରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ପ୍ରତିବାଦ କରିଛି କଂଗ୍ରେସ। ମୁହଁରେ କଳାପଟି ବାନ୍ଧି ପୋଡିୟମ ତଳେ ପ୍ରତିବାଦ କରିଛି କଂଗ୍ରେସ। ନିଲମ୍ବିତ ହେବା ପରେ ତାରା ପ୍ରତିକ୍ରିୟା ରଖି କହିଛନ୍ତି, ବାଚସ୍ପତି ଏକପାଖିଆ ସସପେଣ୍ଡ କରିଛନ୍ତି। ସରକାରୀ ଦଳର ମନ୍ତ୍ରୀମାନେ ମୋତେ ଡରୁଥିବାରୁ ମୋତେ ସସପେଣ୍ଡ କରିଛନ୍ତି। ଡିଭିଜନ ମାଗିଲୁ, ସେମାନେ ଶୁଣିଲେନି। ଆମ ପ୍ରତି ଘୋର ଅନ୍ୟାୟ ହୋଇଛି। ଗାନ୍ଧୀ ମୂର୍ତ୍ତୀ ତଳେ ସାରା ରାତି ଧାରଣା ଦେବୁ ବୋଲି ତାରା କହିଛନ୍ତି।