ଗାଁକୁ ନାହିଁ ପୋଲ: ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ହାତରେ ବୁହା ହେଲେ ପ୍ରସୂତି ମହିଳା

ନଦୀ ପାର କରାଇଲେ ଆଶାକର୍ମୀ

ଅସ୍ତରଙ୍ଗ, ୧୧/୦୩(ଦର୍ଶନ ନ୍ୟୁଜ): ପ୍ରଗତି ହୋଇଛି ପ୍ରଗତି ହୋଇଛି ବୋଲି ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ସରକାର ଡିଣ୍ଡିମ ପିଟୁଥିବା ବେଳେ ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଞ୍ଚାୟତରୁ ଆସିଛି ଏକ ବିକଳ ଓ ଲଜ୍ୟାଜନକ ଚିତ୍ର। ସୂଚନା ଅନୁସାରେ ମାଣ୍ଡୁକି ଗ୍ରାମର ଅନତି ଦୁରରେ ପୁନିଆ କାଣ୍ଡି ଏବଂ ପ୍ରଫୁଲ୍ଲ କାଣ୍ଡିଙ୍କ ଦୁଇଟା ପରିବାର ବସବାସ କରନ୍ତି। କିନ୍ତୁ ସେ ରହୁଥିବା ସ୍ଥାନକୁ ଯିବା ବାଟରେ କାଳିଆ ନାଳ ନାମରେ ଏକ ନଦୀ ପ୍ରବାହିତ ହେଉଛି। ହେଲେ ଏହି ନଦୀ ଉପରେ ଯାତାୟାତ କରିବା ପାଇଁ  ବ୍ରିଜଟିଏ ନଥିବାରୁ ସେଠାର ବାସିନ୍ଦା ମାନେ ନଦୀ ଭିତରେ ପଶି ଯିବା ଆସିବା କରନ୍ତି। ସବୁଠୁ ଅଧିକ କଷ୍ଟ ପାଆନ୍ତି ସେମାନେ ଯେତେବେଳେ କାହାର ଦେହ ଖରାପ ହୁଏ। ବୟସ୍କ ହୁଅନ୍ତୁ କି ଛାତ୍ରଛାତ୍ରୀ ଯିବା ଆସିବା ସମୟରେ ବହୁ ଅସୁବିଧାର ସମ୍ମୁଖିନ କରନ୍ତି। ବର୍ଷା ଦିନ କଥା ନକହିଲେ ଭଲ। ବର୍ଷା ଦିନେ ନାଳରେ ପାଣି ବଢ଼ି ଯାଉଥିବାରୁ ଉକ୍ତ ପରିବାର ପୁରା ବନ୍ଦୀ ଜୀବନ ବିତାନ୍ତି। ଭୋଟ ସମୟରେ ନେତା ମନ୍ତ୍ରୀ ଆସନ୍ତି, ଭୋଟ ଦେଲେ ବ୍ରିଜ କରିଦେବୁ ବୋଲି କୁହନ୍ତି। କିନ୍ତୁ ଫଳ ଶୂନ। ବିଭିନ୍ନ ମହଲରେ ବ୍ରିଜ ପାଇଁ ଅଭିଯୋଗ କରି କରି ନିରାଶ ହୋଇଛନ୍ତି ଏହି ପରିବାର। ଗତ ସୋମବାର ଦିନ ସେହି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଜଣେ ଅନ୍ତସତ୍ୱା ମହିଳା। କବିନ୍ଦ୍ର କାଣ୍ଡିଙ୍କ ସ୍ତ୍ରୀ ଇତିଶ୍ରୀ ଭୋଇ ପ୍ରସବ ବେଦନାରେ ଛଟପଟ ହେଉଥିବା ଦେଖି ପରିବାର ଲୋକ ଆଶା କର୍ମୀ କବିତା ରଥଙ୍କୁ ଜଣେଇବା ସହିତ ଆମ୍ବୁଲାନ୍ସକୁ ଡାକିଥିଲେ। ହେଲେ ପ୍ରସୂତିଙ୍କ ଘର ପାଖକୁ ରାସ୍ତା ନଥିବାରୁ ନଦୀ କୂଳରେ ରହିଥିଲା ଆମ୍ବୁଲାନ୍ସ ତେଣୁ ଆଶାକର୍ମୀ ଶ୍ରୀମତୀ ରଥ ଅନ୍ୟ କିଛି ଉପାୟ ନ ପାଇ   ପ୍ରସୂତିଙ୍କ ପରିବାର ସହିତ ନିଜେ ଉକ୍ତ ମହିଳାଙ୍କୁ ତାଙ୍କ ଘରୁ  ହାତରେ ଟେକି ଟେକି ନଦୀ କୂଳକୁ ଆଣି ନଦୀ ପାର କରାଇ ଆମ୍ବୁଲାନ୍ସ ଯୋଗେ ଅସ୍ତରଙ୍ଗ ମେଡ଼ିକାଲରେ ପହଞ୍ଚାଇଥିଲେ। ଏଠାରେ ପ୍ରଶ୍ନ ଉଠେ ଆଧୁନିକ ଯୁଗରେ ବିକଶିତ ଓଡିଶାରେ ଯଦି ଜଣେ ପ୍ରସୂତି ପାଖରେ ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁନି ତାହାଲେ ରାଜ୍ୟ ସରକାର ଏବଂ ପ୍ରଶାସନର ପାରିବା ପଣିଆ ଉପରେ ପ୍ରଶ୍ନ ଉଠୁଛି। ଯଦି ଏହି ସ୍ଥାନାନ୍ତର ସମୟରେ କାହାର କିଛି ଅସୁବିଧା ହେଇଥନ୍ତା ତାହାଲେ କିଏ ଦାୟୀ ରହିଥାନ୍ତା। ତେଣୁ ଏହି ଘଟଣାକୁ ରାଜ୍ୟ ସରକାର ଗୁରୁତର ସହିତ ଗ୍ରହଣ କରି ସେଠାରେ ଏକ ବ୍ରିଜ ନିର୍ମାଣ କରିବା ପାଇଁ ଅଞ୍ଚଳବାସୀଙ୍କ ସମେତ ଉକ୍ତ ପରିବାର ନିବେଦନ କରିଛନ୍ତି। ଆଶାକର୍ମୀଙ୍କ ଏହି ସାହସୀ କର୍ତ୍ତବ୍ୟ ପାଇଁ ସବୁ ମହଲରେ ପ୍ରଶଂସାର ପାତ୍ରୀ ହୋଇଛନ୍ତି।