ଅଣ୍ଡା ଦେବାକୁ ଆସି ଜୀବନ ହାରୁଛନ୍ତି ବିରଳ ଅତିଥି ଅଲିଭ ରିଡଲେ କଇଁଚ

ମରଣ ଶିଳା ପାଲଟିଛି ଜାହାନିଆ ଉପକୂଳ

ଅସ୍ତରଙ୍ଗ, ୧୨/୩(ଦର୍ଶନ ନ୍ୟୁଜ): ବିରଳ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ଏବଂ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେବା ସହିତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ତାହା କିଛି ଅସାଧୁ କର୍ମଚାରୀଙ୍କ ଅବହେଳା ପାଇଁ କାଗଜ ପତ୍ରରେ ସୀମିତ ରହିଯାଉଛି। ଯାହାର ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବନଖଣ୍ଡ ଅଧିନ ପୀର ଜାହାନିଆ ସମୁଦ୍ର ଉପକୂଳରେ।

ସୂଚନା ମୁତାବକ, ବିରଳ ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷା ଏବଂ ସୁରକ୍ଷିତ ଅଣ୍ଡା ଦାନ, ମାଛ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିବା ବେଳେ କୌଣସି ପ୍ରକାର ଯନ୍ତ୍ର ଚାଳିତ ଡ଼ଙ୍ଗାର ଚଳାଚଳ ଉପରେ ରୋକ ଲଗାଇଛନ୍ତି। କିନ୍ତୁ ଏଠି ସବୁ କଟକଣା ଫେଲ ମାରୁଛି। ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ଏବଂ କାର୍ଯ୍ୟରେ ଅବହେଳା କାରଣରୁ ଗତ କିଛି ଦିନ ଭିତରେ ନିଷିଦ୍ଧାଞ୍ଚଳ ଏରିଆକୁ ଅନୁପ୍ରବେଶ କରିଥିବା ଅନେକ ଟ୍ରଲର କୋଷ୍ଟ ଗାର୍ଡ, ବନ ବିଭାଗ ଦ୍ୱାରା ଜବତ ହୋଇଛି। ଟ୍ରଲର ଅନୁପ୍ରବେଶ କାରଣରୁ ମରୁଛନ୍ତି ନିରୀହ ବିରଳ ଅଲିଭ ରିଡଲେ କଇଁଚ ଏବଂ ବିରଳ ପ୍ରଜାତିର ଏରୱାଡ଼ ଡ଼ଲଫିନ। ଶହ ଶହ କଇଁଚଙ୍କ ମୃତ ଦେହ ସମୁଦ୍ର କୂଳରେ ଲାଗୁଛନ୍ତି। ସବୁଠୁ ପରିତାପର ବିଷୟ କି ମାର୍ଚ୍ଚ ୧୨ତାରିଖ ଦିନ ଗୋଟେ ବିରଳ ପ୍ରଜାତିର ଡଲଫିନ ମାଛ  କୌଣସି ଟ୍ରଲର ଧକା ହେଉ କି ଜାଲରେ ପଡି ମୃତ୍ୟୁ ହେବା ପରେ ଆସି କୂଳରେ ଲାଗିଥିବା ଦେଖିବାକୁ ମିଳିଛି। ବନ ବିଭାଗର ଅବହେଳା କାରଣରୁ ଯଦି ବାରମ୍ବାର ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ନିଷିଦ୍ଧାଞ୍ଚଳକୁ ଟ୍ରଲର ଅନୁପ୍ରବେଶ କରେ ତାହାଲେ ଏପରି ବିରଳ ପ୍ରଜାତିର ସାମୁଦ୍ରିକ ଯିବ ଦିନେ ଲୋପ ପାଇଯିବ। ତେଣୁ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଜରୁରୀ ମନେ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।