ସାମ୍ବାଦିକଙ୍କ ଉପରୁ ହଟିଲା କଟକଣା

ପ୍ରେସ ଗ୍ୟାଲେରୀକୁ ନେଇ ପାରିବେ ମୋବାଇଲ

ଭୁବନେଶ୍ୱର, ୧୨/୦୩: ବିଧାନସଭାର ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କ ମୋବାଇଲ ଫୋନ୍ ନେବା ଉପରେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି। ପୂର୍ବ ଭଳି ଏବେ ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ୍ ଫୋନ୍ ନେଇ ଯାଇପାରିବେ।

ସୂଚନାଯୋଗ୍ୟ, ଓଡ଼ିଶାରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ପ୍ରେସ ଗ୍ୟାଲେରୀକୁ ସାମ୍ବାଦିକଙ୍କ ମୋବାଇଲ ଫୋନ ନେବା ଉପରେ କଟକଣା ଜାରି କରାଯାଇଥିଲା। ଗତ କାଲି ଦୁଇ ବିଧାୟକ ଜୟନାରାୟଣ ମିଶ୍ର ଓ ତାରାପ୍ରସାଦ ବାହିନୀପତି ମୁହାଁମୁହିଁ ହେବା ସମୟର ଭିଡ଼ିଓ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହି କଟକଣା ଜାରି କରାଯାଇଥିଲା। ତେବେ କେବଳ ଆଜି ପାଇଁ ଏହି କଟକଣା ଲାଗୁ କରାଯାଇଥିଲା। ଏହି ନିର୍ଦ୍ଦେଶ ପରେ ସାମ୍ବାଦିକମାନେ ଏହି ନିୟମକୁ ବିରୋଧ କରିଥିଲେ। ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗୃହରେ ପ୍ରଶ୍ନକାଳ କଭର କରିବାକୁ ମନା କରିଥିଲେ। ଧାରଣା ଦେବା ସମୟରେ ଜଣେ ବରିଷ୍ଠ ସାମ୍ବାଦିକ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ତୁରନ୍ତ ତାଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା।

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆନ୍ଦୋଳନରତ ସାମ୍ବାଦିକଙ୍କ ପାଖକୁ ଯାଇ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ପରେ ଏହି ନିଷେଧାଦେଶକୁ ହଟାଇ ଦିଆଯାଇଛି। ସାମ୍ବାଦିକ ମାନଙ୍କୁ ମୋବାଇଲ ନେଇ ଯିବା ପାଇଁ ଅନୁମତି ମିଳିଛି।