ବିଚାର ବିଭାଗୀୟ ହାଜତକୁ ଗଲେ ରାଜା ଚକ୍ର

ତେଜିଲା ବିଜେଡ଼ି ବିଜେପି ରାଜନୀତି। ଆହୁରି ବଡ଼ବଡ଼ିଆ ଜନ୍ତାରେ ପଡ଼ିବେ : ଆଇନ ମନ୍ତ୍ରୀ

ଆକ୍ରୋଶ ରଖି ଅଭିଯୋଗ କରିବା ଠିକ୍ ନୁହେଁ: ବିଜେଡ଼ି ବିଧାୟକ

ଭୁବନେଶ୍ୱର, ୧୪/୦୩: ବିଚାର ବିଭାଗୀୟ ହାଜତକୁ ଗଲେ ବ୍ୟବସାୟୀ ତଥା ବିଜେଡ଼ି ନେତା ରାଜା ଚକ୍ର। ଆଜି ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିବା ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ତାଙ୍କୁ ୯ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରିମାଣ୍ଡ ପାଇଁ ଇଓଡବ୍ଲ୍ୟୁ କୌଣସି ପିଟିସନ ଦାଖଲ କରିନାହିଁ। ସେହିପରି ରାଜା ଚକ୍ର ଜାମିନ ପାଇଁ ଆବେଦନ କରିନାହାନ୍ତି। ଆସନ୍ତା ୧୯ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତରେ ରହିବେ ରାଜା ଚକ୍ର।

ସୂଚନାଯୋଗ୍ୟ, ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏବଂ ଏଜେନ୍ସିର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଓ ଗ୍ରାମବାସୀଙ୍କ କଲ୍ୟାଣ ଉଦ୍ଦିଷ୍ଟ ସମବାୟ ସମିତି ପାଣ୍ଠିର ମଧ୍ୟ ଅପବ୍ୟବହାର କରିଥିବା ଅଭିଯୋଗ ରହିଥିଲା। ଏହି ଅଭିଯୋଗ ସତ୍ୟ ପ୍ରମାଣିତ ହେବା ପରେ କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଶାଖା ଇଓଡବ୍ଲୁ ଗତ କାଲି ଗିରଫ କରିଥିଲା। ଗନ୍ଧମାର୍ଦ୍ଦନ ଖଣି ଲୋଡ଼ିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ରାଜା। ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ ଏବଂ ତାଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ। ଗତ କାଲି ତାଙ୍କୁ ଗିରଫ କରିବା ପରେ ରାତି ସାରା ଜେରା କରାଯାଇଥିଲା। ପରେ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ତଦନ୍ତରୁ ଜଣା ପଡିଛି ଯେ, ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ଯାଏଁ ୧୮୫ କୋଟି ଆୟ କରିଥିଲା ଏଜେନ୍ସି। ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଇଥିଲେ ରାଜା। ହେଲେ, କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ଦୁଇ ଜଣ ବିଡ଼ିଓ କହିଛନ୍ତି। ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ୩୩ କୋଟି ଟଙ୍କା ବଣ୍ଟା ହୋଇଛି।

ତେବେ ରାଜା ଚକ୍ରଙ୍କ ଗିରଫ ପରେ ତେଜିଛି ରାଜନୀତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜା ଚକ୍ର ଯାହା ଛତ୍ରଛାୟାରେ ରହି କାର୍ଯ୍ୟ କରୁଥିଲେ ଏବଂ ଯାହା ନିର୍ଦ୍ଦେଶରେ କାମ କରୁଥିଲେ, ଆଗାମୀ ଦିନରେ ସେମାନେ ସମସ୍ତେ ନ୍ୟାୟିକ ପରିସରଭୁକ୍ତ ହେବେ। ରାଜା ଚକ୍ର ଫଣ୍ଡିଂ ଦେବା ସହ ତାଙ୍କର କିଛି ମାଲିକ ମଧ୍ଯ ରହିଥିଲେ। ଯେଉଁମାନେ ମାଲିକ ଥିଲେ ଓ ସହାୟକ ଥିଲେ, ସେମାନେ ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ। ତଦନ୍ତ ହେଲେ, ଆହୁରି ଅନେକଗୁଡ଼ିଏ ଗୁମର ଖୋଲିବ ଏବଂ ବିରାଟ ଭ୍ରଷ୍ଟାଚାରର ପର୍ଦ୍ଦାଫାଶ ହେବ। ଗୋଟିଏ ଗୋଟିଏ ଲୋକ ଜନ୍ତାରେ ପଡୁଛନ୍ତି। ଆଗକୁ ଆହୁରି ବଡ଼ ବଡ଼ ଲୋକ ଜନ୍ତାରେ ପଡ଼ିବେ।

ବିଜେଡ଼ି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେ, ସରକାର ଏବେ ତଦନ୍ତ କରିବା ଆରମ୍ଭ କରିଛନ୍ତି। ଆଗକୁ ତଦନ୍ତ ବଢିଲେ ଜଣା ପଡ଼ିବ ଯେ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି। ଖାଲି ଆକ୍ରୋଶ ରଖି ଏଭଳି ଅଭିଯୋଗ କରିବା ଠିକ୍ ନୁହେଁ।