ବିଲ୍ ପାସ କରିବା ପାଇଁ ଲାଞ୍ଚ ନେଉଥିଲେ ଆକାଉଣ୍ଟାଣ୍ଟ

ମାଡ଼ି ବସିଲା ଭିଜିଲାନ୍ସ

କେନ୍ଦ୍ରାପଡ଼ା, ୧୭/୦୩: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାସ୍ଥିତ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ମହମ୍ମଦ ଫିରୋଜ ଖାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଏହି ଅଞ୍ଚଳର ସ୍କୁଲଗୁଡ଼ିକୁ ସ୍କୁଲ ୟୁନିଫର୍ମ ଯୋଗାଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି)ରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ଫିରୋଜ ଖାନ।

ଅଭିଯୋଗକାରୀଙ୍କ ଠାରୁ ୧.୯୩ ଲକ୍ଷ ଟଙ୍କାର ବିଲ୍ ପାସ୍ କରିବା ଏବଂ ବାକି ଟଙ୍କା ଏସ୍ଏଚଜିକୁ ପ୍ରଦାନ କରିବା ପାଇଁ ଅଭିଯୁକ୍ତ ଫିରୋଜ ଖାନ ଲାଞ୍ଚ ନେଉଥିଲେ। ତାଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ରାଶି ଜବତ କରାଯାଇଛି। ଏଥି ସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ତାଙ୍କ ସହ ଜଡ଼ିତ କିଛି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ।