ଲକ୍ଷପତି ଦିଦି: ସଶକ୍ତ, ସ୍ୱାବଲମ୍ବୀ ଓ ବିକଶିତ ଓଡ଼ିଶାର ନୂତନ ଅଧ୍ୟାୟ
ମହିଳା ସଶକ୍ତୀକରଣ ସମାଜର ପ୍ରଗତିର ପ୍ରକୃତ ମାପକାଠି
ରାଜ୍ୟର ୯.୩୬ ଲକ୍ଷ ମହିଳା ହୋଇଛନ୍ତି ଲକ୍ଷପତି
ଭୁବନେଶ୍ୱର, ୨୧/୦୩: ଏକ ସମାଜର ପ୍ରଗତିର ପ୍ରକୃତ ମାପକାଠି ହେଉଛି ମହିଳାମାନଙ୍କର ସଶକ୍ତିକରଣ । ଏହି ମୂଲ୍ୟବୋଧକୁ ହୃଦୟରେ ରଖି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର ଦୂରଦର୍ଶୀ ନେତୃତ୍ୱରେ, ଓଡ଼ିଶା ସରକାର ‘ଲକ୍ଷପତି ଦିଦି’ ଯୋଜନାର ମାଧ୍ୟମରେ ନାରୀ ସଶକ୍ତିକରଣ ମାଧ୍ୟମରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ସୃଷ୍ଟି କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ପ୍ରତିଫଳନ, ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ, ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ଏବଂ ସାମାଜିକ ସଶକ୍ତିକରଣର ନୂଆ ପରିଚୟ ପ୍ରଦାନ କରିଛି।
ଏହି ମହତ୍ୱପୂର୍ଣ୍ଣ ଯୋଜନା ପରିଚାଳନାରେ ଓଡ଼ିଶା ସାରା ଦେଶରେ ସମ୍ପ୍ରତି ଦ୍ୱିତୀୟ ସ୍ଥାନ ହାସଲ କରିଛି। ଏଥିସହ, ଓଡ଼ିଶାର ୯.୩୬ ଲକ୍ଷରୁ ଅଧିକ ମହିଳା ଏବେ ବାର୍ଷିକ ୧ ଲକ୍ଷ କିମ୍ବା ତାହାଠାରୁ ଅଧିକ ଆୟ କରି, ଏକ ସୁନିଶ୍ଚିତ ଓ ବିକଶିତ ଭବିଷ୍ୟତ ଆଡେ ଅଗ୍ରସର ହେଉଛନ୍ତି। ମହାରାଷ୍ଟ୍ର ପରେ ଦ୍ୱିତୀୟ ସ୍ଥାନ ଅଧିକାର କରିବା ସହ, ଓଡ଼ିଶା ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ଅଧିକାର କରିବା ପଥରେ ଅଗ୍ରସର ହେଉଛି ।
ଏହି କାର୍ଯ୍ୟକ୍ରମର ସଫଳତା ପାଇଁ, ଓଡ଼ିଶା ଜୀବିକା ମିଶନ (ଓଏଲଏମ) ବହୁମୁଖୀ ପଦକ୍ଷେପ କାର୍ଯ୍ୟକାରୀ କରୁଛି । ଆର୍ଥିକ ଅନ୍ତର୍ଭୁକ୍ତିକରଣ, ତାଲିମ ଓ ଦକ୍ଷତା ବୃଦ୍ଧି, ବଜାର ସଂଯୋଗୀକରଣ ତଥା ପ୍ରଶିକ୍ଷଣ ଆଦି କାର୍ଯ୍ୟକ୍ରମକୁ ନେଇ ଓଏଲଏମର ଉଦ୍ୟୋଗିତା ସୃଷ୍ଟି କରିବା ପାଇଁ ପଦକ୍ଷେପ ଏକ ସୁଦୃଢ ପରିବେଶ ସୃଷ୍ଟି କରିଛି ଯାହା ମହିଳା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଯୋଗାଇଛି ।
ଓଡ଼ିଶାର ଜିଲ୍ଲାସ୍ତରରେ ମଧ୍ୟ ଲକ୍ଷପତି ଦିଦିର ସଫଳତା ପ୍ରଶଂସନୀୟ ରହିଛି । ସମ୍ବଲପୁର ୭୯% ଲକ୍ଷ୍ୟ ହାସିଲ ସହ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି, ଯାହାକୁ ୭୦% ସହ ଜଗତସିଂହପୁର ଓ ୬୯% ସହ ଯାଜପୁର ଅନୁସରଣ କରିଛି। ୧୯ ମାର୍ଚ୍ଚ, ୨୦୨୫ ସୁଦ୍ଧା ୯.୩୬ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି, ଓଡ଼ିଶା ୫୭% ଲକ୍ଷ୍ୟ ପୂରଣ କରିଛି ଯାହା ଏକ ପ୍ରଭାବଶାଳୀ ଅଗ୍ରଗତି ଚିହ୍ନିତ କରେ ।
ଏହି ଯୋଜନାର ସଫଳତା ଜାତୀୟ ଏବଂ ରାଜ୍ୟ ସ୍ତରରେ ରଣନୈତିକ ଭାଗିଦାରୀ ଦ୍ୱାରା ଆହୁରି ସମୃଦ୍ଧ ହୋଇଛି। ଅନେକ ପ୍ରତିଷ୍ଠିତ ଜାତୀୟ ଏବଂ ରାଜ୍ୟ-ସ୍ତରୀୟ ସଂସ୍ଥାରୁ ପ୍ରଯୁକ୍ତିଗତ ଏବଂ ରଣନୈତିକ ସହାୟତା ତୃଣମୂଳ ସ୍ତରର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଉତ୍ପାଦକତା, ଜୀବିକା ବିବିଧୀକରଣ, ଏବଂ ବଜାର ସଂଯୋଗରେ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିଛି । ବିଭିନ୍ନ ବିଶେଷଜ୍ଞ ସଂଗଠନ, ଜୀବିକା ମଡେଲ୍ ଉନ୍ନତ କରିବାରୁ ଆରମ୍ଭ କରି ଖାଦ୍ୟ ଏବଂ ପାନୀୟ, ହସ୍ତଶିଳ୍ପ, ଏବଂ କ୍ଷୁଦ୍ର ଉଦ୍ୟୋଗ ବିକାଶ ସମେତ ବିଭିନ୍ନ କ୍ଷେତ୍ରରେ ସୁଦୃଢ଼ ବଜାର ରଣନୀତି ସୁନିଶ୍ଚିତ କରିବା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରୁଛନ୍ତି।
ଲକ୍ଷପତି ଦିଦି କାର୍ଯ୍ୟକ୍ରମର ଦୃଶ୍ୟମାନତା ଏବଂ ଆର୍ଥିକ ସଫଳତା ବୃଦ୍ଧି ସୁନିଶ୍ଚିତ କରିବାରେ, ସମ୍ପ୍ରତି ସଫଳତାର ସହ ସମାପ୍ତ ହୋଇଥିବା ‘ସୁଭଦ୍ରା ଶକ୍ତି ମେଳା’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି । ଏହି ମେଳା କେବଳ ଏକ ବଜାର ଭାବରେ କାର୍ଯ୍ୟ କରି ନାହିଁ ବରଂ ବିଭିନ୍ନ କ୍ଷେତ୍ରର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ଶକ୍ତିଶାଳୀ ମଞ୍ଚ ଭାବରେ କାର୍ଯ୍ୟ କରି ସେମାନଙ୍କୁ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ, ଆର୍ଥିକ ଲାଭ ଏବଂ ବଜାର ସଂଯୋଗୀକରଣ ସୁଯୋଗ ପ୍ରଦାନ କରିଛି ।
ନିକଟ ଅତୀତରେ ଭୁବନେଶ୍ୱର ସହିତ ୪ ଗୋଟି ଜିଲ୍ଲା ରେ ଆୟୋଜିତ ହୋଇଯାଇଛି ସୁଭଦ୍ରା ଶକ୍ତି ମେଳା। ଏହି ମେଳାରେ ୮୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀ ଅଂଶଗ୍ରହଣ କରିଥିଲେ, ଏହି ମେଳା ରାଜ୍ୟର ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ବିଶାଳ ମଞ୍ଚ ପ୍ରଦାନ କରିଥିଲା, ଯେଉଁଥିରେ ୩୦୦ରୁ ଅଧିକ ଜଣ ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ ଗୋଷ୍ଠୀ (ପିଜି) ର ସଦସ୍ୟା ପ୍ରଥମ ଥର ପାଇଁ ଅଂଶଗ୍ରହଣକାରୀ ଭାବେ ସାମିଲ ଥିଲେ। ଏହି ମେଳାରେ ୮ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କାରବାର ସୃଷ୍ଟି କରିଥିଲା। ମେଳାରେ ଅଂଶଗ୍ରହଣ କରିଥିବା ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ ମଧ୍ୟରୁ, ୧୦୦୦ ଜଣରୁ ଅଧିକ ଲକ୍ଷପତି ଦିଦିରେ ପରିଣତ ହୋଇଛନ୍ତି।
ଲକ୍ଷପତି ଦିଦି କାର୍ଯ୍ୟକ୍ରମ ଅଧୀନରେ, ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପରେ ନିଜର ପ୍ରତିଭା ପ୍ରଦର୍ଶିତ କରିଛନ୍ତି। ପାରମ୍ପରିକ ହସ୍ତତନ୍ତ, ହସ୍ତଶିଳ୍ପରୁ ଆରମ୍ଭ କରି ଆଧୁନିକ କୃଷି ଉଦ୍ୟୋଗ, ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ମହିଳା ଉଦ୍ୟୋଗୀମାନେ ନିଜର ସୃଜନଶୀଳତା ଓ ଆତ୍ମବିଶ୍ୱାସକୁ ପ୍ରମାଣିତ କରିଛନ୍ତି। ମିଲେଟ୍ ଉତ୍ପାଦ, ଟେରାକୋଟା ଶିଳ୍ପ, ଗୋଲଡେନ୍ ଘାସ ଉତ୍ପାଦ, ଜୈବିକ ସାମଗ୍ରୀ ଇତ୍ୟାଦି ଉତ୍ପାଦଗୁଡିକ ଆର୍ଥିକ ସ୍ୱାଧୀନତାର ପ୍ରତୀକ ହୋଇ ଆଧୁନିକ ବଜାରରେ ନିଜର ସ୍ଥାନ ସୁନିଶ୍ଚିତ କରିଛନ୍ତି।
ଉଦ୍ୟୋଗୀ ଭାବନା ଏବଂ ସଫଳତାର ପ୍ରତୀକ, କଳାହାଣ୍ଡି ଜିଲ୍ଲାର ଏମ. ରାମପୁର ବ୍ଲକର ପାଣ୍ଡକମାଲ ର ମା’ ବୈଷ୍ଣୋ ଦେବୀ ଉତ୍ପାଦକ ଗୋଷ୍ଠୀ ପରିବର୍ତ୍ତନର ଏକ ଦିଗଦର୍ଶକ ଭାବରେ ଉପନୀତ ହୋଇଛି । ୨୦ ଜଣ ସମର୍ପିତ ସଦସ୍ୟାଙ୍କ ସହ ୨୬ଟି ଏସଏଚଜିର ୧୨୦ଜଣ ମହିଳାଙ୍କୁ ନେଇ ଗଠିତ ଏହି ଉତ୍ପାଦନ ୟୁନିଟ, ହସ୍ତତନ୍ତ କ୍ଷେତ୍ରରେ ଏକ ସଫଳ ଏବଂ ପ୍ରଭାବଶାଳୀ ଉଦ୍ୟୋଗ ଭାବରେ ପରିଣତ ହୋଇଛି । ବିଦ୍ୟାଳୟ ୟୁନିଫର୍ମ, ପୁରୁଷ ଏବଂ ମହିଳାଙ୍କ ପୋଷାକ, ଶିଶୁଙ୍କ ପୋଷାକ ଏବଂ ସମ୍ବଲପୁରୀ ଶାଢୀ ଇତ୍ୟାଦି ଉତ୍ପାଦଗୁଡିକ ସହିତ, ସେମାନଙ୍କର ବ୍ୟବସାୟ ବିଗତ ବର୍ଷ ସେମାନେ ₹୭୮ ଲକ୍ଷ ଟଙ୍କାରେ ପହଁଚିଛି ।
ଉଲ୍ଲେଖନୀୟ ଭାବରେ ସୁଭଦ୍ରା ଶକ୍ତି ମେଳା ସମୟରେ, ମା’ ବୈଷ୍ଣୋ ଦେବୀ ପିଜି ଅସାଧାରଣ ପ୍ରଦର୍ଶନ କରି ୬ ଲକ୍ଷ ଟଙ୍କାରୁ ଅଧିକ ବିକ୍ରୟ ହାସଲ କରିଛି । ସେମାନଙ୍କର ଉତ୍ପାଦଗୁଡିକ ଓଡ଼ିଶା ବାହାରେ ମଧ୍ୟ ଯଥା କୋଲକାତା, ଝାରଖଣ୍ଡ, ବିହାର ଇତ୍ୟାଦି ଅନ୍ୟ ରାଜ୍ୟରେ ମଧ୍ୟ ଲୋକପ୍ରିୟତା ହାସଲ କରିଛି।
ଏହି ସଫଳତା ଲକ୍ଷପତି ଦିଦି କାର୍ଯ୍ୟକ୍ରମର ପରିବର୍ତ୍ତନଶୀଳ ସାମର୍ଥ୍ୟକୁ ପ୍ରଦର୍ଶିତ କରିଛି, ଯାହା ଓଡ଼ିଶାର ମହିଳାମାନଙ୍କ ଅର୍ଥନୈତିକ ଉନ୍ନୟନ ଓ ସଶକ୍ତିକରଣକୁ ନୂଆ ଦିଗ ପ୍ରଦାନ କରିଛି।
ପ୍ରକୃତରେ, ଲକ୍ଷପତି ଦିଦି କେବଳ ଏକ ଯୋଜନା ନୁହେଁ; ଏହା ଏକ ସମୃଦ୍ଧ ଓ ସଶକ୍ତ ଓଡ଼ିଶା ଗଠନ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଏବଂ ଏହି ସଶକ୍ତ ଓ ସ୍ବାବଲମ୍ବୀ ମହିଳାମାନଙ୍କ ସଫଳତାର କାହାଣୀ ଆଗାମୀ ପିଢିକୁ ପ୍ରେରଣା ଯୋଗାଇବ ।
ସମ୍ପ୍ରତି, ଲକ୍ଷପତି ଦିଦିମାନଙ୍କର ଆୟ ଏବଂ ବଜାର ପ୍ରବେଶକୁ ଆହୁରି ସଶକ୍ତ କରିବା ପାଇଁ ଏକ ସଂରଚନାଗତ ବଜାର ସଂଯୋଗୀକରଣ ରଣନୀତି ପ୍ରସ୍ତୁତ କରାଯାଉଛି। ଡିଜିଟାଲ୍ ପ୍ଲାଟଫର୍ମ, ଇ-କମର୍ସ, ତଥା ଆନ୍ତର୍ଜାତୀୟ ରପ୍ତାନି ସଂଯୋଗୀକରଣର ସହାୟତା ମାଧ୍ୟମରେ ତୃଣମୂଳ ସ୍ତରର ମହିଳା ଉଦ୍ୟୋଗୀମାନେ ବିଶ୍ୱବ୍ୟାପୀ ବଜାରରେ ନିଜର ପରିଚୟ ସୃଷ୍ଟି କରିବାକୁ ସକ୍ଷମ ହେବେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚାର ସଂସ୍ଥାଗୁଡ଼ିକ ସହ ଭାଗୀଦାରୀ, ଆଇଏସଓ, ଜୈବିକ ଓ ଫେୟାର୍ ଟ୍ରେଡ୍ ଭଳି ପ୍ରମାଣପତ୍ରର ସୁବିଧା, ତଥା ସୋସିଆଲ ମିଡ଼ିଆରେ ବିସ୍ତୃତ ବିଜ୍ଞାପନ ଅଭିଯାନ ପରି ଉଦ୍ୟମକୁ ଗ୍ରହଣ କରାଯାଉଛି, ଯାହା ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କର ଆର୍ଥିକ ସ୍ଥିତିକୁ ଏକ ନୂଆ ଉଚ୍ଚତା ପ୍ରଦାନ କରିବ।
ଇତିମଧ୍ୟରେ ଓଡିଶାରେ ୯.୩୬ ଲକ୍ଷରୁ ଅଧିକ ମହିଳା ଲକ୍ଷପତି ମାନ୍ୟତା ହାସଲ କରିଛନ୍ତି, ଯାହାଙ୍କ ମଧ୍ୟରେ ମହତ୍ୱାକାଂକ୍ଷୀ ଏବଂ ଆଦିବାସୀ ଜିଲ୍ଲାର ଅନେକ ମହିଳା ସାମିଲ ଅଛନ୍ତି । ଓଡ଼ିଶା ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ଏବଂ ସଂକଳ୍ପ, ମହାରାଷ୍ଟ୍ର ପରି ରାଜ୍ୟକୁ ପଛରେ ପକାଇ ଜାତୀୟ ସ୍ତରରେ ଶୀଘ୍ର ଶୀର୍ଷସ୍ଥାନ ଅର୍ଜନ କରିବାକୁ ପ୍ରତିଶ୍ରୁତିବଦ୍ଧ। କେବଳ ଆର୍ଥିକ ବୃଦ୍ଧି ନୁହେଁ, ସମାଜିକ ସଶକ୍ତିକରଣ, ସମ୍ପ୍ରଦାୟର ଉନ୍ନୟନ, ଏବଂ ଏକ ବିକଶିତ ଦେଶ ଗଠନରେ ମଧ୍ୟ ଏହି ଯୋଜନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ସଶକ୍ତ ମହିଳାଙ୍କ ସହିତ, ଆମ ରାଜ୍ୟ ଏକ ସମୃଦ୍ଧ ତଥା ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର କରିବା ଦିଗରେ ଅଗ୍ରସର ହେଉଛି ।