ଅଗ୍ନିକାଣ୍ଡ ଫିଟାଇ ଦେଲା ଜଜଙ୍କ ଗୁମର

ଜଜଙ୍କ ବଙ୍ଗଳାରୁ ମିଳିଲା ୧୫ କୋଟି ନଗଦ ଟଙ୍କା

ନୂଆଦିଲ୍ଲୀ, ୨୧/୦୩: ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ। ଅଗ୍ନିକାଣ୍ଡ ଫିଟାଇ ଦେଲା ସବୁ ଗୁମର। ଦିଲ୍ଲୀ ହାଇକୋର୍ଟର ଜଣେ ବିଚାରପତିଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ପରେ ସାରା ଦେଶରେ ଏବେ ହଇଚଇ ସୃଷ୍ଟି ହୋଇଛି।

ଘଟଣା ଅନୁଯାୟୀ, ଗତ ୧୪ ତାରିଖରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶବନ୍ତ ବର୍ମା ବାହାରେ ଥିବା ବେଳେ ତାଙ୍କ ବଙ୍ଗଳାରେ ଲାଗିଥିବା ଅଗ୍ନିକାଣ୍ଡରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଥିଲା। ଅଗ୍ନିକାଣ୍ଡ ଘଟିବାର ପରେ ଜଷ୍ଟିସ ବର୍ମାଙ୍କ ପରିବାର ତୁରନ୍ତ ଜରୁରୀକାଳୀନ ସେବା ସହ ଯୋଗାଯୋଗ କରିଥିଲେ। ନିଆଁ ଲିଭିବା ପରେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଗୋଟିଏ କୋଠରୀରେ ଗଚ୍ଛିତ ନଗଦ ଟଙ୍କା ଠାବ କରିଥିଲେ। ବିପୁଳ ପରିମାଣର ଟଙ୍କା ଠାବ ହୋଇଥିବାରୁ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା। ପାଖାପାଖି ୧୫ କୋଟି ଟଙ୍କା ମିଳିଥିବାର ସୂଚନା ମିଳିଛି।

ତେବେ ଏହି ଘଟଣା ସିଧା ଯାଇ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଜଷ୍ଟିସ ଖାନାଙ୍କୁ ଏହି ଘଟଣା ବିଷୟରେ ଅବଗତ କରାଯିବା ପରେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନ ବିଚାରପତି ପରବର୍ତ୍ତୀ ପଦକ୍ଷେପ ଉପରେ ନିଷ୍ପତ୍ତି ନେବା ପାଇଁ କଲେଜିୟମ୍ ବୈଠକ ଡାକିଥିଲେ। ଆଲୋଚନା ପରେ କଲେଜିୟମ ନିଷ୍ପତ୍ତି ନେଇଥିଲେ ଯେ ଜଷ୍ଟିସ ବର୍ମାଙ୍କୁ ତୁରନ୍ତ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବା ଉଚିତ।

ସୂଚନାଯୋଗ୍ୟ, ଆହ୍ଲାବାଦରୁ ବଦଳି ହେବା ପରେ ଜଷ୍ଟିସ ବର୍ମା ୨୦୨୧ ଅକ୍ଟୋବରରୁ ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟ କରୁଥିଲେ। ୧୯୬୯ ମସିହା ଜାନୁଆରୀ ୬ ତାରିଖରେ ଉତ୍ତରପ୍ରଦେଶର ଆହ୍ଲାବାଦ (ବର୍ତ୍ତମାନ ପ୍ରୟାଗରାଜ)ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଯଶବନ୍ତ ବର୍ମା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନ ହଂସରାଜ କଲେଜରୁ ବି.କମ ପାସ କରିବା ପରେ ମଧ୍ୟପ୍ରଦେଶର ରେୱା ବିଶ୍ୱବିଦ୍ୟାଳୟରୁ ଏଲଏଲବି ହାସଲ କରି ଅଗଷ୍ଟ ୧୯୯୨ରେ ଆହ୍ଲାବାଦ ହାଇକୋର୍ଟରେ ଓକିଲ ଭାବରେ ନ୍ୟାୟାଳୟରେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଅକ୍ଟୋବର ୨୦୧୪ରେ ଆହ୍ଲାବାଦ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତ ହୋଇଥିବା ଜଷ୍ଟିସ ବର୍ମା ୨୦୧୬ ଫେବ୍ରୁଆରିରେ ସ୍ଥାୟୀ ବିଚାରପତି ହୋଇଥିଲେ। ପରେ ୨୦୨୧ରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି କରାଯାଇଥିଲା।