ଭୁବନେଶ୍ୱର, ୨୨/୦୩: ପୃଥିବୀ ପାଇଁ ଘଣ୍ଟାଟିଏ ଲାଇଟ୍ ଅଫ୍ କରିବେ ସାରା ବିଶ୍ୱବାସୀ। ୨୨ ତାରିଖ ରାତି ସାଢ଼େ ୮ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ୧ ଘଣ୍ଟା ପାଇଁ ‘ଆର୍ଥ ଆୱାର’ ପାଳନ କରିବ ସାରା ବିଶ୍ବ। ଜଳବାୟୁ ପରିବର୍ତ୍ତନ ଓ ଶକ୍ତି ସଞ୍ଚୟର ବାର୍ତ୍ତା ନେଇ ଆର୍ଥ ଆୱାର ପାଳନ କରାଯିବ। ଘରେ ଏବଂ ଅଫିସରେ ଗୋଟିଏ ଘଣ୍ଟା ପାଇଁ ସ୍ୱଇଚ୍ଛାରେ ବିଜୁଳି ବନ୍ଦ କରିବାକୁ ହୁଏ। ପ୍ରତିବର୍ଷ ୱାର୍ଲଡ୍ ୱାଇଡ୍ ଫଣ୍ଡ ଫର୍ ନେଚର ପକ୍ଷରୁ ବିଶ୍ୱବ୍ୟାପୀ ଏହାକୁ ପାଳନ କରାଯାଇ ଆସୁଛି । ଏହି କ୍ରମରେ ଚଳିତ ବର୍ଷର ଥିମ୍ ରହିଛି “Be Water Wise”।
ଏଥିରେ ଅଂଶଗ୍ରହଣ କରିବାକୁ ଓଡିଶାବାସୀଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମାଝୀ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କହିଛନ୍ତି, “ପୃଥିବୀର ସୁରକ୍ଷା ଏବଂ ଶକ୍ତି ଅପଚୟ ହ୍ରାସ କରିବା ଉଦ୍ଦେଶ୍ୟରେ ସମଗ୍ର ବିଶ୍ୱରେ ‘ଆର୍ଥ ଆଭର’ ପାଳନ କରାଯାଉଛି। ଆସନ୍ତୁ ଆଜି ରାତି ସାଢ଼େ ୮ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ପାଇଁ ଘର/କାର୍ଯ୍ୟାଳୟର ବିଜୁଳି ବନ୍ଦ କରି ‘ଆର୍ଥ ଆୱାର’ ପାଳନ କରିବା। ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ କାମ କରିବା।”