ନୂଆଦିଲ୍ଲୀ, ୨୨/୦୩: ଚେନ୍ନାଇରେ ବିଜେପି ବିରୋଧୀ ଦଳଙ୍କ ମେଳି। ମୋଦିଙ୍କ ଡିଲିମିଟେସନ ନିଷ୍ପତ୍ତି ବିରୋଧରେ କରିପାରନ୍ତି ବଡ଼ ପ୍ଲାନ୍। ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଝାଗମ (ଡିଏମକେ) ର ସଭାପତି ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ସୀମା ପୁନଃ ନିର୍ଦ୍ଧାରଣ ସମ୍ପର୍କିତ ମିଳିତ କାର୍ଯ୍ୟ କମିଟି(ଜେଏସି) ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮ଟି ରାଜ୍ୟ ଓଡ଼ିଶା, ତାମିଲନାଡୁ, କର୍ଣ୍ଣାଟକ, କେରଳ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ପଞ୍ଜାବର ବିରୋଧୀ ଦଳର ନେତାମାନେ ଯୋଗ ଦେଇଛନ୍ତି। ବିଜେଡ଼ି ପକ୍ଷରୁ ପ୍ରତିନିଧିତ୍ଵ କରିଛନ୍ତି ବିଜେଡ଼ି ନେତା ଅମର ପଟ୍ଟନାୟକ ଓ ସଞ୍ଜୟ ଦାସବର୍ମା।
ଗତ ୫ ଦଶନ୍ଧି ଧରି ଦେଶରେ କୌଣସି ସୀମା ନିର୍ଦ୍ଧାରଣ ହୋଇନାହିଁ। ୨୦୨୬ ପରେ କେନ୍ଦ୍ର ସରକାର ଏହା କରିପାରନ୍ତି ବୋଲି ସୂଚନା ମିଳିଛି। ସୀମା ପୁନଃ ନିର୍ଦ୍ଧାରଣ କରାଗଲେ ଜନସଂଖ୍ୟା ଆଧାରରେ ଲୋକସଭା ଆସନ ବଣ୍ଟନ କରାଯିବ। ଏହାର ଅର୍ଥ ଅଧିକ ଜନସଂଖ୍ୟା ଥିବା ରାଜ୍ୟ ଅଧିକ ଆସନ ପାଇବ ଏବଂ କମ୍ ଜନସଂଖ୍ୟା ଥିବା ରାଜ୍ୟ କମ୍ ଆସନ ପାଇବ। ଲୋକସଭା ଆସନ ବଢିଲେ କିମ୍ବା କମିଲେ ବିଧାନସଭା ଆସନର ସଂଖ୍ୟା ମଧ୍ୟ ସେହି ଅନୁସାରେ ବଢିବ କିମ୍ବା କମିବ। ତେଣୁ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ଏଥିରେ କ୍ଷତି ସହିପାରନ୍ତି ବୋଲି ଆଶଙ୍କା କରି ସୀମା ପୁନଃ ନିର୍ଦ୍ଧାରଣ ନିଷ୍ପତ୍ତିକୁ ବନ୍ଦ କରିବା ଏହି ବୈଠକର ଉଦ୍ଦେଶ୍ୟ।
କେନ୍ଦ୍ର ସରକାରଙ୍କ ଦ୍ୱାରା ହେବାକୁ ଯାଉଥିବା ସୀମା ପୁନଃ ନିର୍ଦ୍ଧାରଣ ଦ୍ୱାରା ଏହି ସବୁ ରାଜ୍ୟ ପ୍ରଭାବିତ ହେବେ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କହିଛନ୍ତି। ଯଦି ଆଗାମୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଯୋଗୁଁ ତାମିଲନାଡୁ ଏବଂ ଅନ୍ୟ ରାଜ୍ୟଗୁଡ଼ିକ ପ୍ରତିନିଧିତ୍ୱ ହରାଇବେ, ତେବେ ଏହା ଭାରତରେ ସଂଘୀୟ ବ୍ୟବସ୍ଥାର ମୂଳଦୁଆ ଉପରେ ଆକ୍ରମଣ କରିବ। ତାମିଲନାଡୁର ମୋଟ ଆସନର ୭.୧୮% କୌଣସି ପରିସ୍ଥିତିରେ ହ୍ରାସ କରାଯିବା ଉଚିତ ନୁହେଁ ବୋଲି ଷ୍ଟାଲିନ କହିଛନ୍ତି। ସେହିପରି ସୀମା ନିର୍ଦ୍ଧାରଣ ନେଇ ପରବର୍ତ୍ତୀ ବୈଠକ ହାଇଦ୍ରାବାଦରେ ହେବ ବୋଲି ଷ୍ଟାଲିନ୍ କହିଛନ୍ତି।
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ବୈଠକକୁ ନେଇ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି। ଜନସଂଖ୍ୟା ନିୟନ୍ତ୍ରିତ ଥିବା ରାଜ୍ୟର ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ସୁନିଶ୍ଚିତ କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ। ଜନସଂଖ୍ୟା ନିୟନ୍ତ୍ରଣ ଏକ ଅତ୍ୟାବଶ୍ୟକ ଜାତୀୟ ଏଜେଣ୍ଡା ଯାହା ଦେଶର ବିକାଶରେ ସିଧାସଳଖ ଯୋଗଦାନ ଦେଇଥାଏ। କିନ୍ତୁ ସୀମା ନିର୍ଦ୍ଧାରଣ କେବଳ ଜନସଂଖ୍ୟା ଉପରେ ଆଧାରିତ ହେଲେ ଏହା ଅନ୍ୟାୟ ହେବ ବୋଲି ନବୀନ କହିଛନ୍ତି।