ଉଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶା ଅଗ୍ନିଶମ ବାହିନୀରେ ଗଢ଼ା ହେବ ଏସଏଫଏଫ

ଭୁବନେଶ୍ୱର: ବର୍ତ୍ତମାନ ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀକୁ ଅଧିକ ଦକ୍ଷ ଓ କ୍ରିୟାଶୀଳ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱାରୋପ କରିଛନ୍ତି। ବିଭିନ୍ନ ବିପର୍ଯ୍ୟୟ ବିଶେଷକରି ଅଗ୍ନିକାଣ୍ଡ ଓ ଅଗ୍ନି ଜନିତ ଦୁର୍ଘଟଣା ସମୟରେ ଲୋକଙ୍କୁ ଉଦ୍ଧାର କରିବା ଓ ତାଙ୍କ ଜୀବନ ବଞ୍ଚାଇବା କାର୍ଯ୍ୟ ଯେପରି ତ୍ବରାନ୍ବିତ କରାହେବ ତାକୁ ଦୃଷ୍ଟିରେ ରଖି ୧୪୪ ସଦସ୍ୟ ବିଶିଷ୍ଟ ଏକ ଷ୍ଟ୍ରାଇକିଙ୍ଗ ଫାୟାର୍‌ ଫୋର୍ସ  (Striking Fire Force) ଗଠନ କରାଯିବ।

ଏନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏକ ପ୍ରସ୍ତାବ ଉପସ୍ଥାପନା କରାଯାଇଥିଲା। ପରେ ଏନେଇ ବିସ୍ତୃତ ଆଲୋଚନା ହେବାପରେ ପ୍ରସ୍ତାବଟି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ କରିଛି। ନିଷ୍ପତ୍ତି ଅନୁସାରେ, ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍‌ରେ ଏହି ଷ୍ଟ୍ରାଇକିଂ ଫାୟାର୍‌ ଫୋର୍ସର ୩ଟି ରେଞ୍ଜ ମୁଖ୍ୟାଳୟ ରହିବ। ପ୍ରତ୍ୟେକ ମୁଖ୍ୟାଳୟ ପାଇଁ ୪୮ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି ହେବ। ଏଥିରେ ଆସିଷ୍ଟାଣ୍ଟ ଫାୟାର ଅଫିସର, ଷ୍ଟେସନ ଅଫିସର, ଆସିଷ୍ଟାଣ୍ଟ ଷ୍ଟେସନ ଅଫିସର, ହାବିଲଦାର ମେଜର, ଡ୍ରାଇଭର ହାବିଲଦାର, ହାବିଲଦାର ମେକାନିକ୍, ଲିଡିଂ ଫାୟାରମ୍ୟାନ, ଫାୟାରମ୍ୟାନ ଡ୍ରାଇଭର  ଏବଂ ଫାୟାରମ୍ୟାନ ଇତ୍ୟାଦି ପଦବୀ ରହିବ।