ସରିଲା ବିଧାନସଭାର ବଜେଟ୍ ଅଧିବେଶନ

ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି

ରାତି ତମାମ ବିତର୍କ: ଦୁଇଟି ବିଲ୍ ପାରିତ

ଭୁବନେଶ୍ୱର, ୦୩/୦୪: ଶେଷ ହେଲା ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ। ଚଳିତ ଅଧିବେଶନରେ ଦୁଇଟି ବିଲକୁ ନେଇ ରାତି ତମାମ ବିତର୍କ ଚାଲିଥିଲା। ବିଲ୍ ପାରିତ ହେବା ପରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ।

ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୪ ଉପରେ ବୁଧବାର ଅପରାହ୍ନ ୪ଟାରୁ ଆଲୋଚନା ଆରମ୍ଭ ହୋଇ ରାତି ତମାମ ଧରି ଆଲୋଚନା ହେବା ପରେ ଭୋର ୪ଟା ୨୯ରେ ଶେଷ ହୋଇଥିଲା। ଦୀର୍ଘ ୧୨ ଘଣ୍ଟା ଧରି ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆଲୋଚନା ଚାଲିଥିଲା। ଗୁରୁବାର ଭୋର ୪ଟା ୨୯ ମିନିଟରେ ବିଧାନସଭାରେ ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୪ ପାରିତ ହୋଇଥିଲା।

ଏହା ପରେ ରାଜ୍ୟ ରାଜପଥ ପ୍ରାଧୀକରଣ ବିଲ୍ ୨୦୨୫ ଉପରେ ଆଲୋଚନା ହୋଇ ସକାଳ ୭ଟା ୬ ମିନିଟ୍ ସମୟରେ ଶେଷ ହୋଇ ପାରିତ ହୋଇଥିଲା।