ଭୁବନେଶ୍ୱର, ୦୩/୦୪: ବିଧାନସଭା ଇତିହାସରେ ଦ୍ୱିତୀୟ ସର୍ବକାଳୀନ ରେକର୍ଡ଼ ସ୍ଥାପନ କଲା ସାଢେ଼ ୧୨ ଘଣ୍ଟାର ଆଲୋଚନା। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୪ ପାରିତ ହେବା ପାଇଁ ଏପ୍ରିଲ ୨ ତାରିଖ ଅପରାହ୍ନ ୪ଟାରୁ ବିତର୍କ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ଅପରାହ୍ନ ସାଢେ଼ ୪ଟା ପର୍ଯ୍ୟନ୍ତ ଚାଲିଥିଲା। ଏହା ପରେ ଗୃହରେ ବିଲ୍ ପାରିତ ହୋଇଥିଲା। ରାତି ତମାମ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବିଲକୁ ନେଇ ଚାଲିଥିଲା ଆଲୋଚନା।
ତେବେ ଏତେ ସମୟ ଧରି ଆଲୋଚନା କରିବା କୌଣସି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଓଡ଼ିଶା ବିଧାନସଭାରେ ଏଭଳି ଘଟଣା ଘଟି ସାରିଛି। ୨୦୦୩ ମସିହାରେ ପ୍ରାୟ ସାଢ଼େ ୧୬ ଘଣ୍ଟା ଧରି ଏକ ବିଲ୍ ଉପରେ ହୋଇଥିଲା ଆଲୋଚନା। ବିଧାନସଭାରେ ବିଲ୍ ପାରିତ ହେବା ପାଇଁ ସର୍ବକାଳୀନ ରେକର୍ଡ ରହିଛି ଏହି ଅଧିବେଶନରେ। ୨୦୦୩ ପୋଲିସ ବିଲ୍ ପାସ୍ ସମୟରେ ରେକର୍ଡ ସମୟ ଧରି ଆଲୋଚନା ହୋଇଥିଲା। ୧୧ ନଭେମ୍ବର ୨୦୦୩ରେ ତତ୍କାଳୀନ ବିଜେଡ଼ି ଓ ବିଜେପି ମିଳିତ ସରକାର ପୋଲିସ ବିଲ୍ ଆଣିବା ସମୟରେ ବହୁ ସମୟ ଧରି ଆଲୋଚନା ହୋଇଥିଲା। ବିଲ୍ ଉପରେ ୧୧ ନଭେମ୍ବର ୨୦୦୩ ଅପରାହ୍ନ ୩ଟା ୫୬ ମିନିଟରେ ଆରମ୍ଭ ହୋଇ ୧୨ ନଭେମ୍ବର ୨୦୦୩ ସକାଳ ୮ଟା ୩୨ ମିନିଟ୍ ପର୍ଯ୍ୟନ୍ତ ହୋଇଥିଲା ଆଲୋଚନା। ଏହା ଓଡ଼ିଶା ବିଧାନସଭାର ଐତିହାସିକ ଦିନ ହୋଇଥିବା ବେଳେ ଚଳିତ ଥର ଆଲୋଚନା ଦ୍ୱିତୀୟ ରେକର୍ଡ ହାସଲ କରିଛି।