ୱାକଫ ବିଲ୍ ଆଣିଲା ବିଜେଡିରେ ଝଡ଼: ସ୍ଥିତି ସଙ୍ଗୀନ
ବିଜେଡ଼ି ଦୁଇ ଫାଳ
ଭାଙ୍ଗିଲା ବିଜେଡ଼ିର ଏକତା: ନବୀନ ନିବାସରେ ବଡ ବୈଠକ
ଭୁବନେଶ୍ୱର, ୦୪/୦୪: ୱାକଫ ବିଲ୍ ଆଣିଲା ବିଜେଡ଼ିରେ ଝଡ଼। ବିଜେଡ଼ି ଦୁଇ ଫାଳ। ୱାକଫ୍ ବିଲକୁ ନେଇ ଅସ୍ପଷ୍ଟ ମତ ଭାଙ୍ଗିଲା ବିଜେଡ଼ିର ଏକତା। ଦଳୀୟ ସ୍ଥିତି ବର୍ତ୍ତମାନ ସଙ୍ଗୀନ। ଗତ କାଲି ରାଜ୍ୟସଭାରେ ୧୭ ଘଣ୍ଟାର ବିତର୍କ ପରେ ଆଜି ସକାଳେ ୱାକଫ୍ ବିଲ୍ ପାରିତ ହୋଇଥିଲା। ରାଜ୍ୟସଭାରେ ଏହି ବିଲ୍ ସପକ୍ଷରେ ୧୨୮ ଓ ବିପକ୍ଷରେ ୯୫ ଭୋଟ ପଡ଼ି ପାରିତ ହୋଇଥିଲା। ହେଲେ, ଏହି ବିଲ୍ ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡ଼ିରେ ଝଡ଼ ସୃଷ୍ଟି କରିଛି।
ଦଳର ଦୋମୁହାଁ ନୀତି ସମ୍ପୂର୍ଣ୍ଣ ପଦାରେ ପଡିଛି। ବିଜେଡ଼ି ପୂର୍ବରୁ ଏହି ୱାକଫ୍ ବିଲକୁ ସମ୍ପୂର୍ଣ୍ଣ ବିରୋଧ କରିବା ପାଇଁ ଘୋଷଣା କରିଥିବା ବେଳେ ସାଂସଦ ସସ୍ମିତା ପାତ୍ର ଶେଷ ସମୟରେ ଖେଳ ଓଲଟେଇ ଦେଲେ। ଗୁରୁବାର ଅପରାହ୍ନରେ ଟ୍ୱିଟ ଯୋଗେ ଘୋଷଣା କଲେ ଯେ, ବିଜେଡ଼ି ସାଂସଦମାନେ ନିଜ ବିବେକ ଅନୁସାରେ ଭୋଟ ଦେବେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବିଜେଡ଼ିର ଆଭିମୁଖ୍ୟ ସ୍ପଷ୍ଟ ଜଣା ପଡୁନଥିଲା। ବିଜେଡ଼ିର ସସ୍ମିତ ପାତ୍ରଙ୍କ ସମେତ ଆଉ କିଛି ଏହି ବିଲ୍ ସପକ୍ଷରେ ଭୋଟ ଦେଇଥିବା ବେଳେ ସାଂସଦ ମୁନା ଖାଁଙ୍କ ସମେତ ଆଉ କିଛି ସାଂସଦ ବିପକ୍ଷରେ ଭୋଟର ଦେଇଛନ୍ତି। ସେପଟେ ସାଂସଦ ଦେବାଶିଷ ସାମନ୍ତରାୟ ଦଳର ଅସ୍ପଷ୍ଟ ଆଭିମୁଖ୍ୟ ଯୋଗୁଁ ଦଳୀୟ ନିଷ୍ପତ୍ତି ଉପରେ ଅସନ୍ତୁଷ୍ଟ ହୋଇ ଭୋଟ ଦେଲେ ନାହିଁ।
ଏହାରି ଭିତରେ ଆଜି ଦଳର ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏହାକୁ କେନ୍ଦ୍ର କରି ଶଙ୍ଖ ଭବନରେ ପରାମର୍ଶଦାତା କମିଟିର ବୈଠକ ହୋଇଥିଲା। ଏଥିରେ ବହୁ ବିଶିଷ୍ଟ ନେତା ଯୋଗ ଦେଇଥିଲେ। ଏଥିରେ ଭୂପିନ୍ଦର ସିଂହ, ଅଶୋକ ପଣ୍ଡା, ଚନ୍ଦ୍ରଶେଖର ସାହୁ ପ୍ରମୁଖ ଯୋଗ ଦେଇଥିଲେ।
ସେହିପରି ନବୀନ ନିବାସରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଦଳର ବରିଷ୍ଠ ନେତା ସାମିଲ ହୋଇଛନ୍ତି। ପ୍ରସନ୍ନ ଆଚାର୍ଯ୍ୟ, ବଦ୍ରି ନାରାୟଣ ପାତ୍ର, ପଦ୍ମନାଭ ବେହେରା, ଅଶୋକ ପଣ୍ଡା, ଭୂପିନ୍ଦର ସିଂହ, ରଜନୀକାନ୍ତ ସିଂହ, ଶଶିଭୂଷଣ ବେହେରା, ନୃସିଂହ ସାହୁ, ଚନ୍ଦ୍ରଶେଖର ସାହୁ, ଆୟୁବ ଖାନ ଓ ଦେବୀ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ନେତା ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ଼ ନିର୍ଦ୍ଦେଶ ଥିଲେ ମଧ୍ୟ କାହିଁକି ଦଳର ସାଂସଦ ଦଳୀୟ ନିଷ୍ପତ୍ତି ବାହାରେ ଯାଇ ୱାକଫ୍ ବିଲ୍ ସପକ୍ଷରେ ଭୋଟ ଦେଲେ, ତାକୁ ନେଇ ଜବାବ ମାଗିଛନ୍ତି।
ଯେଉଁ ସାଂସଦ ଦଳର ନିର୍ଦ୍ଦେଶ ବାହାରେ ଯାଇ ନିଷ୍ପତ୍ତି ନେଇଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚାପ ପକାଇଛନ୍ତି ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ବଦ୍ରି ନାରାୟଣ ପାତ୍ର। ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ସକାଳେ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ସେ ନେଇ ସଭାପତିଙ୍କୁ ଜଣାଇଛୁ। ୱାକଫ ବିଲ୍ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଭାପତି କହିଛନ୍ତି ବିଜେଡ଼ି ଧର୍ମନିରପେକ୍ଷ ଦଳ। ବିଜେଡ଼ି ଧର୍ମନିରପେକ୍ଷରେ ବିଶ୍ୱାସ କରେ। ଏହି ନୀତିରେ କୌଣସି ପରିବର୍ତ୍ତନ ହେବାର ନାହିଁ। ସମଦୂରତ୍ୱରେ କାଏମ ଅଛୁ। ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଉଛୁ ବୋଲି ପ୍ରସନ୍ନ କହିଛନ୍ତି।
ଅନ୍ୟପଟେ ବିଜେଡ଼ିର ବରିଷ୍ଠ ନେତା ବଦ୍ରି ନାରାୟଣ ପାତ୍ର ବିଜେଡ଼ିରେ ଏଭଳି ନିଷ୍ପତ୍ତି ପରିବର୍ତ୍ତନ ହେବା ପଛରେ କିଛି ଗୋଟେ ବଡ଼ ଖେଳ ହୋଇଛି ବୋଲି କହିଛନ୍ତି। ସୁପ୍ରିମୋଙ୍କ ନିର୍ଦ୍ଦେଶ ପରେ ମଧ୍ୟ କାହିଁକି ହ୍ୱିପ ଜାରି ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ସାଂସଦ ଏଭଳି ନିଷ୍ପତ୍ତି କେମିତି ନେଲେ, ଏହା ଚିନ୍ତାର ବିଷୟ ହୋଇଛି ବୋଲି ବଦ୍ରି କହିଛନ୍ତି।