ମୁଣ୍ଡଳୀ ବ୍ରିଜ୍‌ରେ ପୁଣି ଅଘଟଣ, ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ !

ଆଠଗଡ଼ ୩୦।୦୮: ମହାନଦୀ ମୁଣ୍ଡଳୀ ବ୍ରିଜ୍‌ରେ ପୁଣି ଅଘଟଣ। ବ୍ରିଜ୍‌ ଉପରେ ସ୍କୁଟି ରଖି କେହି ଜଣେ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ବ୍ରିଜ୍‌ ଉପରେ ଏକ ସ୍କୁଟି ଓ ଚପଲ ରଖାଯାଇଛି। ଚପଲଟି ଜଣେ ପୁରୁଷ ବ୍ୟକ୍ତିଙ୍କ ହୋଇଥିବାରୁ ଜଣେ ଯୁବକ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ପ୍ରେମ ବ୍ୟାପାରକୁ ନେଇ ଏଭଳି ହୋଇଥାଇପାରେ ବୋଲି ସ୍ଥାନୀୟ ଲୋକଙ୍କ ସୂଚନା ।

ତେବେ ରାତି ପ୍ରାୟ ସାଢେ ଗୋଟାଏ ସମୟରୁ ଏହି ସ୍କୁଟିଟି ରହିଥିବା ଜଣାପଡ଼ିଛି। ବ୍ରିଜ୍‌ ଉପରେ ସ୍କୁଟି ଓ ଚପଲ ରଖାଯାଇଥିବା ନେଇ କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ। ଖବରପାଇ ବାରଙ୍ଗ ଗୋଡ଼ିସାହି ଫାଣ୍ଡି ପୋଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ଏବେ ଯାଏଁ ନିଖୋଜଙ୍କ ପରିଚୟ ମିଳିପାରିନାହିଁ।