ଅନୁଭବ-ବର୍ଷା ବିବାଦ ମାମଲା: କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଷା ଛାଡ଼ିବେ ଶାଶୂଘର

କଟକ: ଅଭିନେତ୍ରୀ ବର୍ଷା ଛାଡ଼ିବେ ଶାଶୂଘର । ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ ଏସ୍‌ଡିଜେଏମ୍‌ଙ୍କ ରାୟକୁ କାଏମ୍‌ ରଖିଲେ କଟକ ଅତିରିକ୍ତ ଜିଲ୍ଲା ଦୌରା ଜଜ୍‌ । ବର୍ଷାଙ୍କୁ ଶାଶୁ ଘର ଛାଡିବା ନେଇ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ SDJM । ପରେ SDJMଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟ ଯାଇଥିଲେ ବର୍ଷା ।

ସୂଚନା ଥାଉକି, ଷ୍ଟାର୍ ଦମ୍ପତ୍ତି ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ୦୨ ଜୁନ୍‌ରେ ଏକ ଭିନ୍ନ ମୋଡ଼ ନେଇଥିଲା । ଅନୁଭବଙ୍କ ପତ୍ନୀ ବର୍ଷା ଶାଶୁଘର ଛାଡ଼ି ଅନ୍ୟତ୍ର ରହିବେ ବୋଲି କୋର୍ଟ କହିଥିଲେ । ଘରଭଡ଼ା ପାଇଁ ପ୍ରତି ମାସର ୧୦ ତାରିଖ କିମ୍ବା ତା ପୂର୍ବରୁ ମାସିକ ୩୦ ହଜାର ଟଙ୍କା ଅନୁଭବ ପ୍ରଦାନ କରିବେ ଏବଂ ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ବର୍ଷା ଘର ଛାଡ଼ିବେ ସହ ରାୟର ୨ ମାସ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି କୋର୍ଟ କହିଥିଲେ ।

ମେ ମାସ ୨୪ ତାରିଖରେ ଏହି ମାମଲାର ଶୁଣାଣି ଶେଷ କରି ଏସଡିଜେଏମ୍ କଟକ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । ନିଜ ପିଟିସନରେ ଅନୁଭବ ଉଲ୍ଲେଖ କରିଥିଲେ କି, ସେ ତାଙ୍କ ପତ୍ନୀ ବର୍ଷାଙ୍କ ପାଇଁ ଭଡାଘରର ବ୍ୟବସ୍ଥା କରିବେ ଏବଂ ସେ ବାବଦୀୟ ଖର୍ଚ୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି । ଯେହେତୁ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ, ତେଣୁ ତାଙ୍କ ଚିକିତ୍ସା ଲାଗି ସେମାନଙ୍କୁ ନିଜ ଘରେ ରହିବାର ଆବଶ୍ୟକତା ରହିଛି ।