ପୁଅର ଲୁହା ରଡ଼ ମାଡ଼ରେ ବାପାଙ୍କ ମୃତ୍ୟୁ

ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ମାଆ

ସମ୍ବଲପୁର, ୦୬/୦୪: ପୁଅ ସାଜିଲା ସୈତାନ। ସାମାନ୍ୟ ପାରିବାରିକ କଳହରୁ ନିଜ ବାପାଙ୍କର ଜୀବନ ନେଇଯାଇଛି ପୁଅ। ଗୁରୁତର ଅବସ୍ଥାରେ ମାଆ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏଭଳି ଏକ ନୃଶଂସ କାଣ୍ଡ ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଞ୍ଚଳରେ।

ତୁରିପଡ଼ା ଗ୍ରାମରେ ଗୟା ମଲ୍ଲିକ (୮୦) ଓ ତାଙ୍କ ପତ୍ନୀ ଉକିଆ ମଲ୍ଲିକ (୭୨) ରୁହନ୍ତି। ତାଙ୍କର ୪ ଝିଅ ଓ ୨ ପୁଅ ଅଛନ୍ତି ଏବଂ ସମସ୍ତେ ବିବାହିତ। କୌଣସି କାରଣବଶତଃ ଗୟା ମଲ୍ଲିକ ଓ ତାଙ୍କ ସାନ ପୁଅ ବାଳକୃଷ୍ଣ ମଲ୍ଲିକ (୪୦)ଙ୍କ ସହ ପାଟିତୁଣ୍ଡ ହୋଇଥିଲା। ଏଥିରେ ବାଳକୃଷ୍ଣ ଉତକ୍ଷିପ୍ତ ହୋଇ ଏକ ଲୁହା ରଡରେ ବାପା ଗୟା ମଲ୍ଲିକଙ୍କୁ ନିସ୍ତୁକ ମାଡ ମାରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରୁଥିବା ବେଳେ ମାଆ ଉକିଆ ମଲ୍ଲିକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ବାଳକୃଷ୍ଣ। ଏଥିରେ ସେ ଗୁରୁତର ଆହତ ହୋଇ ଯୁଯୁମୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ପଚରାଉଚରା କରୁଛି।