ଯଦି ଆତ୍ମା ଡାକୁଛି, ବିଜେପିକୁ ଚାଲି ଯାଉ ନାହାନ୍ତି କାହିଁକି: ଦିଲ୍ଲୀରୁ ଫେରି ସସ୍ମିତଙ୍କ ଉପରେ ବର୍ଷିଲେ ସାଂସଦ ମୁନ୍ନା ଖାଁ

ନବୀନଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲେ

ଭୁବନେଶ୍ୱର, ୦୭/୦୪: ୱାକଫ ବିଲକୁ ନେଇ ରାଜ୍ୟ ରାଜନୀତିରେ ନିଆଁ ଲାଗିଥିବା ବେଳେ ଏଥିରେ ଘିଅ ଢାଳିଛନ୍ତି ବିଜେଡ଼ି ସାଂସଦ ମୁନ୍ନା ଖାଁ। ଭୁବନେଶ୍ୱର ଫେରି ସସ୍ମିତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ସାଂସଦ ମୁନ୍ନା ଖାଁ। ଏହା ସହ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଦଳ ବିରୋଧରେ ଯାଇ କିପରି ଜଣେ ସାଂସଦ ଏହି ନିଷ୍ପତ୍ତି ନେଇପାରିଲେ, ସେ ନେଇ ତଦନ୍ତ କରି ଦଳ ବିରୋଧରେ ଯାଇଥିବା ବ୍ୟକ୍ତି ବିଶେଷଙ୍କୁ ଚିହ୍ନଟ କରି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି। ବହୁ ମୁସଲିମ କମ୍ୟୁନିଟି ଓ ଖ୍ରୀଷ୍ଟିଆନ କମ୍ୟୁନିଟି ମେମ୍ବରମାନଙ୍କ ସହ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସଭାପତି ନବୀନ ମଧ୍ୟ ଯଥାଶୀଘ୍ର ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ତେବେ ମୁନ୍ନା‌ ଖାଁ ଦିଲ୍ଲୀରୁ ଫେରି ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡ଼ି ଏକ ଧର୍ମନିରପେକ୍ଷ ଦଳ। ଦଳର ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଧର୍ମନିରପେକ୍ଷ ନେତା। ପାର୍ଲିଆମେଣ୍ଟ ଆରମ୍ଭ ହେବା ପୂର୍ବରୁ ନବୀନ ନିବାସରେ ଏ ନେଇ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ନବୀନ ପଟ୍ଟନାୟକ ୱାକଫ ବିଲକୁ ବିରୋଧ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ରମଜାନ ମାସରେ ଇଫତାର ପାର୍ଟିରେ ମଧ୍ୟ ୱାକଫ୍ ବିଲକୁ ବିରୋଧ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ମୁଁ ମଧ୍ୟ ଏହି ବିଲକୁ ବିରୋଧ କରି ଅଭିଭାଷଣ ରଖିଥିଲି। ହେଲେ, ସେହିଦିନ ସନ୍ଧ୍ୟାରେ ଦଳର ନେତା ତଥା ସାଂସଦ ସସ୍ମିତା ପାତ୍ର ନିଜ ବିବେକ ଅନୁସାରେ ଭୋଟ ଦେବା ପାଇଁ ଟ୍ୱିଟ କରିଥିଲେ। ସଂସଦୀୟ ଗଣତନ୍ତ୍ରରେ ବିଲକୁ ସମର୍ଥନ କରିବାର ଅଛି କିମ୍ବା ବିରୋଧ କରିବାର ଅଛି। ନହେଲେ ଭୋଟ ନ ଦେଇ ପଳାୟନ କରିବାର ଅଛି। କିନ୍ତୁ ବିବେକ ଅନୁସାରେ ଭୋଟ ଦେବା ପୃଥିବୀରେ କେଉଁଠି ହେଉଥିବାର ମୁଁ ଦେଖିନାହିଁ। ସସ୍ମିତ ପାତ୍ରଙ୍କ ଏହି ନିଷ୍ପତ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନଙ୍କୁ ବହୁତ ଦୁଃଖ ଦେଇଛି। ସସ୍ମିତ ଯେତେବେଳେ ଠାରୁ ଟ୍ୱିଟ କରିଛନ୍ତି ସେତେବେଳେ ଠାରୁ ମୁଁ ତାଙ୍କୁ ଫୋନ୍ କରିଥିଲି। ହେଲେ, ସେ ଫୋନ୍ ଉଠାଇଲେ ନାହିଁ। କିମ୍ବା ତାଙ୍କର ଦେଖା ନାହିଁ। ସେ ବିଦେଶ ଗସ୍ତରେ ଅଛନ୍ତି। ବିଦେଶରୁ ଫେରିଲେ କେବଳ ସେ ହିଁ ଜବାବ ଦେଇପାରିବେ ଯେ କାହିଁକି ଏହି ବିଲ୍ ସପକ୍ଷରେ ଭୋଟ ଦେଲେ‌। ଯେଉଁମାନଙ୍କର ମନରେ ହୃଦବୋଧ ହେଉଛି ଏବଂ ଆତ୍ମା ଡାକୁଛି, ବିଜେପିକୁ ସମର୍ଥନ କରିବା ପାଇଁ ସେ ବିଜେପିକୁ ଚାଲି ଯାଉ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି। ତାଙ୍କୁ ଦଳରେ ରହିବା ପାଇଁ କିଏ କହିଲା ଏବଂ ଦଳରେ ରହି ଏହି ଦୋମୁହାଁ ନୀତି ଚଳିବ ନାହିଁ ବୋଲି ବର୍ଷିଛନ୍ତି ମୁନ୍ନା ଖାଁ।