ସୁନ୍ଦରଗଡ଼, ୦୭/୦୪: ଜଙ୍ଗଲରେ ନିଆଁ ବ୍ୟାପୁଥିବା ବେଳେ ଏହି ନିଆଁକୁ ଲିଭାଇବାକୁ ଯାଇ ଜଳି ଯାଇଛନ୍ତି ବନ କର୍ମଚାରୀ। ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ବ୍ରାହ୍ମଣୀ ପାହାଡ଼ ନିକଟ ସଂରକ୍ଷିତ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଉଥିବା ବେଳେ ଜଳି ଯାଇଛନ୍ତି ବନ କର୍ମଚାରୀ ସମର ଓରାମ। ଏଥିରେ ତାଙ୍କ ଶରୀରର ୭୦ ପ୍ରତିଶତ ଅଂଶ ପୋଡ଼ି ଯାଇଛି। ତେବେ ଏଥିରୁ ବର୍ତ୍ତି ଯାଇଛନ୍ତି ଅନ୍ୟ ୩ ଜଣ ବନ କର୍ମଚାରୀ।
ମିଳିଥିବା ସୂଚନା ଅନୁଯାୟୀ, ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ବନ କର୍ମଚାରୀ ସମର ଓରାମ, ବିଶ୍ରା ଓରାମ, ବିପିନ ମିଞ୍ଜ ଓ ଚାମା ଓରାମ ତୁରନ୍ତ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ। ସମର ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ବେଳେ ପବନ ବହି ନିଆଁ ତାଙ୍କ ଆଡକୁ ବ୍ୟାପି ଯାଇଥିଲେ। ଯାହାଫଳରେ ତାଙ୍କ ଶରୀରର ଅନେକ ଅଂଶ ଏଥିରେ ପୋଡି ଯାଇଥିଲା। ଏହା ପରେ ତୁରନ୍ତ ତାଙ୍କ ସହଯୋଗୀ କର୍ମଚାରୀ ତାଙ୍କୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏବେ ସେ ଡାକ୍ତରଖାନାର ବର୍ଣ୍ଣ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।