ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

୨୭ ବର୍ଷ ପରେ ଭାରତୀୟ ରାଷ୍ଟ୍ରପତିଙ୍କ ପର୍ତ୍ତୁଗାଲ ଗସ୍ତ

ନୂଆଦିଲ୍ଲୀ, ୦୭/୦୪: ପର୍ତ୍ତୁଗାଲ ଓ ସ୍ଲୋଭାକିଆ ଗସ୍ତରେ ଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ସକାଳେ ଲିସବନରେ ପହଞ୍ଚିଛନ୍ତି। ପର୍ତ୍ତୁଗିଜ ରାଷ୍ଟ୍ରପତି ମାର୍ସେଲୋ ରିବେଲୋ ଡି ସୋସା ଏବଂ ସ୍ଲୋଭାକ ରାଷ୍ଟ୍ରପତି ପିଟର ପେଲେଗ୍ରିନିଙ୍କ ନିମନ୍ତ୍ରଣକ୍ରମେ ଏହି ଗସ୍ତ କରିଛନ୍ତି ରାଷ୍ଟ୍ରପତି। ଦୀର୍ଘ ୨୭ ବର୍ଷର ବ୍ୟବଧାନ ପରେ କୌଣସି ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ପର୍ତ୍ତୁଗାଲ ଗସ୍ତ କରିଛନ୍ତି। ଶେଷ ଥର ପାଇଁ ୧୯୯୮ରେ କେ ଆର ନାରାୟଣ ପର୍ତ୍ତୁଗାଲ ଗସ୍ତ କରିଥିଲେ। ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ କୂଟନୈତିକ ସମ୍ପର୍କର ୫୦ ବର୍ଷ ପୂର୍ତ୍ତି ଅବସରରେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତ କରିଛନ୍ତି।

ରାଷ୍ଟ୍ରପତିଙ୍କୁ ପର୍ତ୍ତୁଗାଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ପୁନୀତ ଆର କୁଣ୍ଡାଲ ଏବଂ ଭାରତରେ ପର୍ତ୍ତୁଗାଲର ରାଷ୍ଟ୍ରଦୂତ ଜୋଆଓ ରିବେରୋ ଡି ଆଲମିଡିଆ ସ୍ୱାଗତ କରିଥିଲେ। ସୋମବାର ରାଷ୍ଟ୍ରପତି ମୁର୍ମୁଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ। ଏହା ପରେ ପର୍ତ୍ତୁଗାଲର ରାଷ୍ଟ୍ରପତି ମାର୍ସେଲୋ ରିବେଲୋ ଡି ସୋସା, ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନିଗ୍ରୋଙ୍କ ସମେତ ଶୀର୍ଷ ନେତୃତ୍ୱଙ୍କ ସହ ବୈଠକ କରିବେ।