ବ୍ରିଟିଶ ଅମଳର‌ ରମ୍ଭା ରାଜମହଲ

ଓଡ଼ିଶାର ଐତିହ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ସମ୍ମିଶ୍ରଣ ୨୦୦ ବର୍ଷ ତଳର ଐତିହାସିକ ପ୍ୟାଲେସ

ଓଡ଼ିଶା; ନିଜର ସଂସ୍କୃତି ଓ ଐତିହ୍ୟ ପାଇଁ ବେଶ୍ ପରିଚିତ।‌ ଓଡ଼ିଶାରେ ରହିଛି ବହୁ ଐତିହାସିକ ସ୍ଥାନ। ଯାହା ପ୍ରାଚୀନ ଭାରତର ସ୍ଥାପତ୍ୟ କଳାର ନିଦର୍ଶନ ବୋଲି କୁହାଯାଏ। ରାଜାରାଜୁଡ଼ା ଶାସନ କାଳରୁ ଓଡ଼ିଶାରେ ରହିଛି ବହୁ ଐତିହ୍ୟ। ସେଥିମଧ୍ୟରୁ ରମ୍ଭା ରାଜମହଲ ଅନ୍ୟତମ।

ରମ୍ଭା ରାଜମହଲ ଓଡିଶାର ଗଞ୍ଜାମ ଜିଲ୍ଲାର ଚିଲିକା ହ୍ରଦ କୂଳରେ ଅବସ୍ଥିତ। ଯାହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନଲୋଭା। ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଘେରି ରହିଥିବା ଏହି ପ୍ୟାଲେସ ବ୍ରିଟିଶ ଅମଳରେ ନିର୍ମାଣ ହୋଇଥିଲା। ୨୦୦ ବର୍ଷ ପୂର୍ବେ ନିର୍ମିତ ରମ୍ଭା ରାଜ ମହଲ ୧୭୯୧ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀର ଅଧିକାରୀ ଥୋମାସ ସ୍ନୋଡଗ୍ରାସ୍ ଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ପରବର୍ତ୍ତୀ ସମୟରେ ବ୍ରିଟିଶ ଅଫିସର ଏବଂ ଭାରତୀୟ ମହାରାଜାମାନଙ୍କ ପାଇଁ ବାସଭବନ ଭାବରେ କାର୍ଯ୍ୟ କରିଥିଲା। ଇଉରୋପର ଇଞ୍ଜିନିୟର ଓ ସ୍ଥାନୀୟ କାରିଗରଙ୍କ ହାତରେ ନିର୍ମାଣ ହୋଇଥିଲା ଏହି ପ୍ୟାଲେସ।

ସପ୍ତଦଶ ଶତାବ୍ଦୀର ୟୁରୋପିଆନ ଡିଜାଇନରେ ନିର୍ମାଣ ହୋଇଥିବା ଏହି ପ୍ୟାଲେସରେ ରୋମାନ ଡିଜାଇନର ଝରକା ଏବଂ ଡୋରିକ୍ ଗ୍ରୀକ୍ ଡିଜାଇନର ସ୍ତମ୍ଭ ରହିଛି। ଯାହା ଇଣ୍ଡୋ-ୟୁରୋପିଆନ କଳା ସ୍ଥାପତ୍ୟର ସମୃଦ୍ଧତାକୁ ପ୍ରତିଫଳିତ କରୁଛି।

୨୦୧୮ମସିହାରେ ନୂଆଦିଲ୍ଲୀର ହଞ୍ଚ ଭେଞ୍ଚର୍ସ ଏହାର ଦାୟିତ୍ୱ ନେଇ ଶ୍ରୀଲଙ୍କାର ଜଣେ ଆର୍କିଟେକ୍ଟ ଚନ୍ନା ଦସ୍ୱତେଙ୍କୁ ଏହି ପ୍ୟାଲେସର ନବୀକରଣ ପାଇଁ ଦାୟିତ୍ୱ ଦିଆଯାଇଥିଲା। ବହୁ ବର୍ଷ ଧରି ବିନା ମରାମତିରେ ପ୍ୟାଲେସଟି ରହିଥିବାରୁ ଏହାର ମରାମତି କରାଯାଇ ଏହାକୁ ପୁନର୍ଜୀବନ ଦିଆଯାଇଥିଲା। ୨୦୨୪ରୁ ଏହାକୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ଯାଇଛି। ଏହାର କିଛି ଅଂଶକୁ ହୋଟେଲ ଭାବରେ ମଧ୍ୟ ବ୍ୟବହାର କରାଯାଉଛି।

ଏହା ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ଥିବାରୁ ଏଠାକୁ ଦେଶ ଓ ବିଦେଶର ପର୍ଯ୍ୟଟକମାନଙ୍କ ସୁଅ ଛୁଟୁଛି। ପ୍ରକୃତିକୁ ଉପଭୋଗ କରିବାକୁ ଚାହୁଁଥିବା ପ୍ରତ୍ୟେକ ଲୋକ ଏଠାକୁ ଥରୁଟେ ଗଲେ ଫେରିବାକୁ ମନ ବଳାଉ ନାହାନ୍ତି।