ଉନ୍ନତି ପଥେ ଅଗ୍ରସର ହେଉଥିବା ବେଳେ କାଶ୍ମୀର ଉପରେ ପ୍ରହାର କଲେ ଆତଙ୍କବାଦୀ

'ମନ କି ବାତ୍'ରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆତଙ୍କବାଦ ବିରୋଧ ଲଢେଇରେ ଭାରତ ସହିତ ଛିଡା ହୋଇଛି ସମଗ୍ର ବିଶ୍ୱ

ନୂଆଦିଲ୍ଲୀ, ୨୭/୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡ଼ିଓ କାର୍ଯ୍ୟକ୍ରମ ‘ମନ କି ବାତ୍’ର ୧୨୧ତମ ଏପିସୋଡରେ କାଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିବା ସହ ପୀଡ଼ିତଙ୍କ ପରିବାର ଖୁବ ଶୀଘ୍ର ନ୍ୟାୟ ପାଇବେ ବୋଲି ଆଶ୍ୱାସନା ଦେଇଛନ୍ତି।

ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଗତ କିଛି ବର୍ଷରେ କାଶ୍ମୀରରେ ଅଦ୍ଭୁତପୂର୍ବ ଅଗ୍ରଗତି ଘଟିଛି। ପର୍ଯ୍ୟଟନ ଓ ଶିକ୍ଷା କ୍ଷେତ୍ରରେ କାଶ୍ମୀରରେ ଉନ୍ନତି ହୋଇଛି। ଯୁବ ବର୍ଗଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିଛି। କିନ୍ତୁ ଏହି ଆକ୍ରମଣ କାଶ୍ମୀର ଏବଂ ଦେଶର ଶତ୍ରୁମାନଙ୍କ ନୈରାଶ୍ୟଜନକ ପ୍ରୟାସ। ଯାହା କାଶ୍ମୀରର ଉଲ୍ଲେଖନୀୟ ଅଗ୍ରଗତିରେ ବାଧା ସୃଷ୍ଟି କରିଛି। ଯେତେବେଳେ କାଶ୍ମୀରରେ ଶାନ୍ତି ଫେରୁଥିଲା, ସ୍କୁଲ ଓ କଲେଜରେ ପାଠ ପଢିବା ପାଇଁ ପିଲାମାନେ ଆଗ୍ରହ ଦେଖାଉଥିଲେ, ଗଣତନ୍ତ୍ର ସୁଦୃଢ଼ ହେଉଥିଲା, ପର୍ଯ୍ୟଟନ ବୃଦ୍ଧି ପାଉଥିଲା ଏବଂ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଥିଲା, ସେ ସମୟରେ ଜମ୍ମୁ-କଶ୍ମୀର ଏବଂ ଦେଶର ଶତ୍ରୁମାନେ ଏହାକୁ ପସନ୍ଦ କରୁନଥିଲେ। ଆତଙ୍କବାଦୀମାନେ ପୁଣି ଥରେ କାଶ୍ମୀରକୁ ଧ୍ୱଂସ କରିବାକୁ ଚାହୁଁଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବିଶ୍ୱସ୍ତରୀୟ ନେତାମାନେ ମୋତେ ଚିଠି ଲେଖିଛନ୍ତି। ସମସ୍ତେ ଏହି ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ତୀବ୍ର ନିନ୍ଦା କରିଛନ୍ତି। ଆତଙ୍କବାଦ ବିରୋଧରେ ଲଢ଼େଇରେ ସମଗ୍ର ବିଶ୍ୱ ଭାରତର ୧୪୨ କୋଟି ଜନତାଙ୍କ ସହ ଛିଡ଼ା ହୋଇଛି।

ଏହି ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିବା ସହ ଘଟଣାର ମାଷ୍ଟରମାଇଣ୍ଡ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନଙ୍କୁ ଏପରି ଦଣ୍ଡ ମିଳିବ, ଯାହା କେବେ କଳ୍ପନା କରିନଥିବେ। ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରତିଟି ପୀଡ଼ିତଙ୍କ ପରିବାରକୁ ନିଶ୍ଚୟ ନ୍ୟାୟ ମିଳିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି।